କନକ ବ୍ୟୁରୋ : ଯୁବପୀଢିଙ୍କ ପାଇଁ ଆଦର୍ଶ ବରଗଡର ହେମନ୍ତ ମେହେର । କଥା କହି ପାରନ୍ତି ନାହିଁ କି କିଏ କଣ କହୁଛନ୍ତି ତାହା ଶୁଣି ବି ପାରନ୍ତି ନାହିଁ । ବେପାର ଚାଲେ କେବଳ ଠାରରେ । କଥା କହିପାରୁନଥିଲେ ବି ହେମନ୍ତ ଗ୍ରାହକଙ୍କ ମନ କଥାକୁ ବେଶ ଭଲ ଭାବରେ ବୁଝନ୍ତି । ମନ ପସନ୍ଦ ଚା କପ ଧରେଇ ଦିଅନ୍ତି ।
ଇସାରାରେ "ଚା" ଦୋକାନ। କାନକୁ ଶୁଭୁନି କି କଥା କହିପାରୁ ନାହାନ୍ତି, ହେଲେ ନିଜର ଏଭଳି ପରିସ୍ଥିତିରେ ହାର ମାନିନାହାନ୍ତି ବରଗଡ ତଲିପଡାର ହେମନ୍ତ ମେହେର। ରାସ୍ତା କଡରେ "ଚା" ଦୋକାନ କରି ନିଜ ପରିବାର ପରିପୋଷଣ କରୁଛନ୍ତି। ହେମନ୍ତ ପିଲା ଦିନରୁ ଏମିତି। ଇସାରାରେ ବୁଝନ୍ତି ଲୋକଙ୍କ କଥା। ବରଗଡ ଭିନ୍ନକ୍ଷମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପଢି ଆଉ ଆଗକୁ ପଢିପାରି ନଥିଲେ ହେମନ୍ତ। ହେଲେ ବାପା ମାଆ ପାଇଁ ବୋଝ ନୁହନ୍ତି ଦିବ୍ୟାଙ୍ଗ ପୁଅ । ବରଂ ଚା ଦୋକାନ କରି ଚାଳଉଛନ୍ତି ପରିବାର ।
ହେମନ୍ତ, ୨୦୦୭ରୁ ଠେଲାରେ ଚା ଦୋକାନ କରିଛନ୍ତି । ପ୍ରତିଦିନ ପ୍ରାୟ ୭ଶହରୁ ୮ ଶହ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଦୋକାନରେ ଭଲ ଚା’ ମିଳୁଥିବାରୁ ଗ୍ରାହକଙ୍କ ବେଶ ଭିଡ ଲାଗୁଛି । ଇସାରାରେ ଲୋକଙ୍କ କଥାବାର୍ତ୍ତା ବୁଝିବା ସହ ଆଙ୍ଗୁଳିରେ ଇସାରା କରି ଗ୍ରାହକଙ୍କୁ ବୁଝାଇଥାନ୍ତି ହେମନ୍ତ । ଚା ଦୋକାନ କରି ସ୍ୱାବଲମ୍ବୀ ହୋଇଥିବା ହେମନ୍ତ ଆଜିର ଯୁବପୀଢି ପାଇଁ ପ୍ରେରଣା ପାଲଟିଛନ୍ତି ।