ମୋତେ ବଂଚାଇ ଦିଅ ! ୭ ବର୍ଷ ଶିଶୁର ଆକୁଳ ନିବେଦନ……

40

କନକ ବ୍ୟୁରୋ: ଶିଶୁକୁ ପୁରିନି ୭ବର୍ଷ । କଅଁଳ ବୟସରେ କାଳ ସାଜିଛି ମାରାତ୍ମକ ବ୍ଲଡ୍ କ୍ୟାନସର୍ । ଶିଶୁର ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିସାରିଲେଣି ବାପା ମାଆ ତଥାପି ଦେଖାଯାଉନି ବାଟ । ଚିକିତ୍ସା ପାଇଁ ଆହୁରି ୬ଲକ୍ଷ ଟଙ୍କା ଦରକାର । ଚିନ୍ତା, କେଉଁଠୁ ଆସିବ ଟଙ୍କା ?

ଆଖିରେ ଅସହାୟତାର ଧାର ଧାର ଲୁହ । ରୁନ୍ଧି ହୋଇଯାଉଛି ଛାତି କୋହରେ । ମନରେ ହଜାରେ ପ୍ରଶ୍ନ । ପୁଅର ବ୍ଲଡ୍ କ୍ୟାନସର୍ ଭଲ କରିବାକୁ କେଉଁଠୁ ଆସିବ ଟଙ୍କା ? ପୂର୍ବରୁ ହିଁ ଘରଦ୍ୱାର, ଜମିବାଡ଼ି ସବୁକିଛି ବିକ୍ରି ସରିଛି । ଏବେ କିଏ ଦେବ ଚିକିତ୍ସା ପାଇଁ ଅର୍ଥ ? ବିଚଳିତ କଲା ଭଳି ଏହି କରୁଣ କାହାଣୀ ବରଗଡ଼, ଅମ୍ବାଭୋନା ବ୍ଲକ୍ ଇଚ୍ଛାପୁର ଗାଁର ୬ ବର୍ଷର ଶିଶୁ ଓମପ୍ରକାଶ ଦାସଙ୍କର । ପାଖ ଅରବିନ୍ଦ ସ୍କୁଲରେ ପାଠ ପଢୁଥିବା ଓମପ୍ରକାଶ ହସିବା ଖେଳିବା ବୟସରେ ଦୁରାରୋଗ୍ୟ ବ୍ୟାଧିସହ ଯୁଝୁଛନ୍ତି ଆଉ ଜୀବନର ଲଢ଼େଇ ଲଢୁଛନ୍ତି ପରିବାର ଲୋକେ ।

ନିଜ ଜମିରେ ସୁନାର ଫସଲ ଫଳାଉଥିବା ଓମପ୍ରକାଶଙ୍କ ବାପା ଏବେ ପରପାଖରେ ମୁଲ ଲାଗୁଛନ୍ତି । ସେପଟେ ଡାକ୍ତର କହୁଛନ୍ତି ଓମପ୍ରକାଶ ଭଲ ହେବାକୁ ଆହୁରି ୩ ବର୍ଷ ଲାଗିବ ଓ ଚିକିତ୍ସା ପାଇଁ ଆହୁରି ୬ ଲକ୍ଷ ଟଙ୍କା ଦରକାର । ସହାୟତା ବାବଦକୁ ରେଡକ୍ରସ୍ ୧୫ ହଜାର ଟଙ୍କା ଦେଇଛି । ବାକି ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପରିବାର ସଦସ୍ୟ । ସ୍ଥାନୀୟ ବିଧାୟକଙ୍କଠୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ଥିତି ବିଷୟରେ ପରିବାର ଲୋକେ ଅବଗତ କରାଇସାରିଛନ୍ତି । ହେଲେ କିଛି ସୁଫଳ ମିଳିପାରି ନାହିଁ । ଅଭାବ ଅସୁବିଧା, ଦୁଃଖ ଦହଗଂଜ ଭିତରେ ବି ହାର୍ ମାନିନି ଓମପ୍ରକାଶଙ୍କ ପରିବାର । ଚିକିତ୍ସା ବାବଦକୁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ଲାଗିପଡ଼ିଛନ୍ତି ତାଙ୍କ ବାପା । ସେପଟେ ମାଆ ମଧ୍ୟ ବାଟ ଚାହିଁ ବସିଛନ୍ତି ପୁଅର ଭଲହେବାକୁ । ପରିବାରର ଶେଷ ଆଶା ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡି ଉପରେ, ଆଶା ଶିଘ୍ର ପରିବାରକୁ ମିଳିବ ଚିକିତ୍ସା ସହାୟତା ।