କନକ ବ୍ୟୁରୋ : ପାହାଡ ଭଳି ବସ୍ତା ବସ୍ତା ଧାନ ଗଦା ହୋଇ ପଡିରହିଛି । ଅଦିନିଆ ବର୍ଷା, ରୋଗ ପୋକରୁ କଷ୍ଟରେ ଫସଲକୁ ସୁରକ୍ଷିତ ରଖି ଅମଳ ପରେ ଚାଷୀଙ୍କୁ ଏବେ ମଣ୍ଡିରେ ଧାନ ବିକ୍ରି ପାଇଁ ସଂଘର୍ଷ କରିବାକୁ ପଡିଛି । ଧାନ ବସ୍ତାର ଗଦାକୁ ପାଳ ଘୋଡାଇ, ପଲିଥିନ ପକେଇ ଚାଷୀ ନିଜେ ଖୋଲା ଆକାଶ ତଳେ ଜଗି ରହିଛି । ବରଗଡ ଜିଲ୍ଲା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନ ପାଣିମୋରା ମଣ୍ଡିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଚାଷୀଙ୍କ ଅଭିଯୋଗ ଟୋକନ ଥିଲେ ସୁଦ୍ଧା ଧାନ ବିକ୍ରି ହେଉନି । ଯେଉଁ ଚାଷୀଙ୍କ ଧାନ ବିକ୍ରି ହେଉଛି, ଆଦ୍ରତାର ଆଳ ଦେଖାଇ ମନଇଛା କଟନୀ ଛଟନୀ କରାଯାଉଥିବା ଅଭିଯୋଗ ହୋଇଛି ।
ବରଗଡରେ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଛି । ଧାନ ସଂଗ୍ରହ ପାଇଁ ୨୦୫ଟି ମଣ୍ଡି ଓ ଅସ୍ଥାୟୀ ଧାନ କେନ୍ଦ୍ର ଖୋଲା ଯାଇଛି । ୫୮ଟି ପେକ୍ସ ଓ ୫୪ଏସଏଚଜି ଦ୍ୱାରା ଧାନ କିଣା ପ୍ରକ୍ରିୟା ଚାଲିଛି । କିନ୍ତୁ ମିଲରଙ୍କ ମନମାନି ଯୋଗୁଁ ଧାନ ବିକ୍ରି ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏବେ ମଧ୍ୟ ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୨ଲକ୍ଷ ୩୨ ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡି ରହିଛି । କିନ୍ତୁ ଯୋଗାଣ ଅଧିକାରୀ କହିଛନ୍ତି ସୁରୁଖୁରୁରେ ଧାନ କିଣା ଚାଲିଛି ।
ତୁରନ୍ତ ମଣ୍ଡିରୁ ଚାଷୀଙ୍କ ଧାନ ନଉଠେ ତେବେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।