ଥାନା ଭିତରେ ପଶି ଚେୟାର ଓ ଟେବୁଲକୁ ଭାଙ୍ଗୁଛନ୍ତି ଦୁର୍ବୃତ । ବାହାରେ ଛିଡା ହୋଇଛନ୍ତି ଏକାଧିକ ଲୋକ

173

କନକ ବ୍ୟୁରୋ : ସାମ୍ନାକୁ ଆସିଲା ବରଗଡ ଅମ୍ବାଭୋନା ଥାନା ଭଙ୍ଗା ଘଟଣାରେ ଆଉ ଏକ ସିସିଟିଭି ଭିଜୁଆଲ । ଜଣେ ଯୁବକ ଥାନା ଭିତରେ ପ୍ରବେଶ କରୁଛନ୍ତି । ପ୍ରଥମେ ଥାନାରେ ଥିବା ଚେୟାରକୁ କଚାଡି ଭାଙ୍ଗୁଛନ୍ତି । ଏହା ପରେ ଥାନାର ଟେବୁଲକୁ ନଷ୍ଟ କରୁଛନ୍ତି । କିଛି ସମୟ ପରେ ଆଉ ଜଣେ ଯୁବକ ଭିତରକୁ ଆସୁଛନ୍ତି । ଥାନା ପରିସରରେ ଥିବା ଆଲମିରାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଥାନାରେ ଥିବା କାଗଜପତ୍ରକୁ ମଧ୍ୟ ନଷ୍ଟ କରାଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କେବଳ ଥାନା ଭିତର ନୁହଁ ଥାନା ବାହାରର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଥାନା ବାହାରେ ଏକାଠି ହୋଇଛନ୍ତି ଅନେକ ଲୋକ । କିଛି ଲୋକ ବସିଛନ୍ତି ଓ ଅନ୍ୟ କିଛି ଲୋକ ଛିଡା ହୋଇ ଆଲୋଚନା କରୁଛନ୍ତି । କିଛି ଦିନ ତଳେ ଆମ୍ବୋଭୋନା ଥାନାରେ ଭଙ୍ଗାରୁଜା ହୋଇଥିଲା । କିଛି ଯୁବକ ସ୍ଥାନୀୟ ଅଂଚଳରେ ବଣଭୋଜି କରୁଥିଲେ । ସେଠାରେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ଅମ୍ବାଭୋନା ପୋଲିସ ରେଡ୍ କରିଥିଲା । କିନ୍ତୁ ଖାଲି ହାତରେ ଫେରିଥିଲା ପୋଲିସ । ଏହି ସମୟରେ କିନ୍ତୁ ଯୁବକ ମାନଙ୍କ ସହ ପୋଲିସର ବଚସା ହୋଇଥିଲା । ପରେ ଉତ୍ୟକ୍ତ ଲୋକ ଥାନା ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ୬ ଜଣଙ୍କୁ ପୋଲିସ ଏହି ମାମଲାରେ ଗିରଫ କରିଛି । ୧୦୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଭଟଲି ବିଧାୟକଙ୍କ ସମ୍ପୃକ୍ତି ଥିଲେ ବି ତାଙ୍କୁ କାହିଁକି ଗିରଫ କରାଯାଇନି ସେ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି ।