କନକ ବ୍ୟୁରୋ:ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ତାଣ୍ଡବ ରଚିବା ଆରମ୍ଭ କରିଛି। ପ୍ରାୟ ସବୁ ଦେଶର କିଛି କିଛି ଲୋକେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏ ପର୍ୟ୍ୟନ୍ତ କୌଣସି ଔଷଧ ବାହାରିପାରି ନାହିଁ। ନିଜକୁ କରୋନା ମୁକ୍ତ ରଖିବା ପାଇଁ ଲୋକେ ମୁହଁରେ ମାସ୍କ ଲଗାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ଆପଣାଉଛନ୍ତି।
ତେବେ କରୋନାରୁ ବର୍ତ୍ତିବାକୁ ଅନେକ ମୁହଁରେ ମାସ୍କ ଲଗାଇ ବାହାରକୁ ବାହାରୁଛନ୍ତି । ମାସ୍କର ବହୁଳ ବ୍ୟବହାର ପାଇଁ ମେଡିସିନ ଦୋକାନରେ ଏହାର ଅଭାବ ଦେଖାଯିବା ପରେ ପରିସ୍ଥିତିକୁ ଦେଖି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ଟୁଇଟ୍ କରିଛନ୍ତି। ଟୁଇଟ୍ କରି ସେ ମାସ୍କ କିଣୁଥିବା ଏବଂ ଚୋରି କରି ନେଉଥିବା ଲୋକଙ୍କୁ ଏକ ଅପିଲ୍ କରିଛନ୍ତି।
ତେବେ ଓବାମାଙ୍କ କହିବା ଅନୁସାରେ, ନିଜର ସାଧାରଣ ଜ୍ଞାନକୁ ଉପଯୋଗ କରି ନିଜକୁ ଏବଂ ଆଖ ପାଖରେ ଥିବା ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରନ୍ତୁ। ଭଲ ଭାବରେ ହାତ ଧୋଇବା ସହ ଦେହ ଖରାପ ହୋଇଥିଲେ ଘରେ ରୁହନ୍ତ। ସରକାର ଏବଂ ସ୍ବାସ୍ଥ୍ୟ ଅଧିକାରୀ ଦେଉଥିବା ପରାମର୍ଶକୁ ମାନନ୍ତୁ। ଅଯଥାରେ ମାସ୍କ ବ୍ୟବହାର କରି ଏହାର ଅଭାବ ସୃଷ୍ଟି କରନ୍ତୁ ନାହିଁ । ଯେଉଁମାନେ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ତାଙ୍କ ପାଇଁ ମାସ୍କ ସବୁ ବଞ୍ଚାଇ ରଖନ୍ତୁ। ସେମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି। ଶାନ୍ତ ରହିବା ସହ ବିଶେଷଜ୍ଞଙ୍କ କଥା ଶୁଣନ୍ତୁ ଏବଂ ବିଜ୍ଞାନକୁ ଅନୁସରଣ କରନ୍ତୁ ବୋଲି ଓବାମା ଟ୍ୱିଟ କରି ଅନୁରୋଧ କରିଛନ୍ତି ।
Follow Us