ଆଜି ଝଲସିବ କଟକ, ବାରବାଟୀ ଆସୁଛନ୍ତି ସୁଲତାନ୍। ଅପରାହ୍ଣ ସାଢେ ୨ରୁ ପ୍ରବେଶ, ଭିଡିଓ ରେକର୍ଡ ଉପରେ କଟକଣା

ଷ୍ଟାଡିୟମ ଭିତରକୁ ପାଣି ବୋତଲ୍, ବ୍ୟାଗ୍, ବ୍ୟାନର, ମିରର, ସିଗାରେଟ୍ ମନା

216

କନକ ବ୍ୟୁରୋ: ହକି ବିଶ୍ବକପ୍ ପାଇଁ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସେଲିବ୍ରେସନ୍ ପାଇଁ କମିସନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଗୋଟିଏ ପଟେ ବାଲିଯାତ୍ରା ଚାଲିଥିବା ବେଳେ ସେହି ସମୟରେ ବାରବାଟୀରେ ଏଭଳି କାର‌୍ୟ୍ୟକ୍ରମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେଲିବ୍ରେସନ୍ ପାଇଁ ସ୍ବତନ୍ତ୍ର ଭାବେ ମୋଟ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ୩୦ ହଜାରରୁ ଅଧିକ ଦର୍ଶକ ଷ୍ଟାଡିୟମରେ ବସି କାର‌୍ୟ୍ୟକ୍ରମ ଉପଭୋଗ କରିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସିସିଟିଭି ନଜରରେ ପୁରା ଷ୍ଟାଡିୟମ୍କୁ ରଖାଯିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବଲିଉଡର ମେଗା ଷ୍ଟାର ସଲମାନ ଖାଁ ଏବଂ ବିଶିଷ୍ଟ ସଂଗୀତକାର ଏ.ଆର. ରହେମାନଙ୍କ ଏହି କାର‌୍ୟ୍ୟକ୍ରମର ଭିଡିଓ ରେକର୍ଡ ଉପରେ କଟକଣା ଲଗାଯାଇଛି।

 

ଆଜି ବାରବାଟୀରେ ବିଶ୍ବକପ୍ ହକି ସେଲିବ୍ରେସନ୍ ପାଇଁ ଦିନ ୨ଟା ୩୦ରୁ ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ ଅନୁମତି ମିଳବ। ଅପରାହ୍ନ ୫ଟା ୩୦ରେ ଏହି ଘଣ୍ଟିକିଆ କାର‌୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗତକାଲି ଜବାହାର ଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ବାରବାଟୀର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସୁରକ୍ଷା ବ୍ୟବସ୍ଥାରେ ୪୦ ଜଣ ସୁପରଭାଇଜି˚ ଅଫିସର, ୩୦୦ ଜଣ ଇନ୍ସ୍ପେକ୍ଟର, ଏସଆଇ ଓ ଏଏସଆଇ ଏବ˚ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ।

ଷ୍ଟାଡିୟମ ଭିତରକୁ କଣ ନେଇପାରିବେନି ଦର୍ଶକ

ଷ୍ଟାଡିୟମ୍ ଭିତରକୁ ଦର୍ଶକମାନେ ପାଣି ବୋତଲ୍, ବ୍ୟାଗ୍, ବ୍ୟାନର, ମିରର, ସିଗାରେଟ୍, ଡିଆସିଲି, ବ୍ଲେଡ୍, ବାଣ, ଲାଠି, ପତାକା, ରେଡିଓ, ବିଡି, ଲାଇଟର, ଛୁରୀ, ଆଟାଚ୍, ରିମୋର୍ଟ କଣ୍ଟ୍ରୋଲ, ବାଦ୍ୟ ଯନ୍ତ୍ର, ହେଲମେଟ୍, ପାଣି ବୋତଲ ନେଇପାରିବେ ନାହିଁ। କେବଳ ମହିଳାମାନେ ସେମାନଙ୍କ ବ୍ୟାଗ ନେଇପାରିବେ। କିନ୍ତୁ ପାଣି ବୋତଲ ସମ୍ପୂର୍ଣ୍ଣ ନିଷେଧ। ଷ୍ଟାଡିୟମ୍ ଭିତରେ ଦର୍ଶକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। କାର‌୍ୟ୍ୟକ୍ରମ ଶେଷ ହେବା ପରେ କ୍ୟାଣ୍ଟନମେଣ୍ଟ ରୋଡ୍ ଏବ˚ ଦୟାଶ୍ରମ ରୋଡ୍ ଦେଇ ଦର୍ଶକ ବାହାରକୁ ବାହାରିବା ପାଇଁ ସମ୍ପର୍ଣ୍ଣ ଖୋଲା ରଖାଯିବ।

କିଭଳି ରହିଛି ପାର୍କିଂ ବ୍ୟବସ୍ଥା

ଅନ୍ୟପଟେ ଆଜି ଦିନ ପ୍ରାୟ ଗୋଟାଏ ବେଳୁ କାର‌୍ୟ୍ୟକ୍ରମ ସରିବା ପର‌୍ୟ୍ୟନ୍ତ ସହରର ପ୍ରମୁଖ ଅଞ୍ଚଳରେ କଟକଣା ଲାଗୁ କରାଯିବା ସମ୍ପର୍କରେ ଟ୍ରାଫିକ ପୁଲିସ ନିଷ୍ପତ୍ତି ନେଇଛି। ସତୀ ଚଉରା ଛକରୁ କୌଣସି ତିନି ଓ ଚାରି ଚକିଆ ଗାଡ଼ି ସେଲ୍ଟର ଛକ ଓ କନିକା ଛକ ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ରିଙ୍ଗ ବନ୍ଧରେ ଯାଇ ଭୁଆଶୁଣି ପଡ଼ିଆରେ ଗାଡ଼ି ପାର୍କି˚ କରିପାରିବେ। ଚହଟା ଛକରୁ ଦୁଇ ଚକିଆ ଗାଡ଼ି ସିଧା ବାଲିଯାତ୍ରା ପଡ଼ିଆ ଯାଇ ନିର୍ଧାରିତ ପାର୍କି˚ ସ୍ଥାନରେ ଗାଡ଼ି ରଖି ଷ୍ଟାଡିୟମକୁ ଯାଇପାରିବେ।

ବିଜୁ ପଟ୍ଟନାୟକ ଛକରୁ କୌଣସି ତିନି ଓ ଚାରି ଚକିଆ ଗାଡ଼ି ଦୟାଶ୍ରମ ରାସ୍ତାରେ ସିଧା ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ଖ୍ରୀଷ୍ଟିୟାନ ପଡ଼ିଆରେ ଗାଡ଼ି ପାର୍କି˚ କରିବେ। ଚଣ୍ତୀ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ରିଜର୍ଭ ପୁଲିସ ଅଫିସ ପାଖରୁ ତିନି ଓ ଚାରି ଚକିଆ ଯାନ ସିଧା ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। ଓଲିଉଡ୍ ଏବ˚ ବଲିଉଡ୍ କଳାକାରମାନେ ସତୀଚଉରା ଛକ ଦେଇ ସେଲ୍ଟର ଛକ ଓ କନିକା ଛକ ରାସ୍ତାରେ ଯାଇ ପିଏଚଡି ଅଫିସ ରାସ୍ତାରେ ଗେଟ ନମ୍ବର ୧୪ରେ ବାରବାଟି ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିପାରିବେ। ଭିତରେ ତାଙ୍କ ପାଇଁ ଗାଡ଼ି ପାର୍କି˚ର ବ୍ୟବସ୍ଥା କରାଯାଇଛି।