ବାରବାଟୀ ଆଶଙ୍କା ଟଳିଲା: ଡିସେମ୍ବର ୨୦ରେ ଭାରତ-ଶ୍ରୀଲଙ୍କା ଟ୍ୱେଂଟି-୨୦

29

କନକ ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ହେବା ନେଇ ଦେଖାଦେଇଥିବା ଆଶଙ୍କା ଟଳି ଯାଇଛି । ବାଲିଯାତ୍ରାକୁ ନଜରରେ ରଖି ଓସିଏର ଅନୁରୋଧକୁ ବିସିସିଆଇ ଗ୍ରହଣ କରିଛି । ଫଳରେ ବାରବାଟୀରେ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପରିବର୍ତ୍ତେ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷ ଗୋଟିଏ ଟି-୨୦ ମ୍ୟାଚ୍ ଖେଳାଯିବାକୁ ଚୂଡାନ୍ତ ନିଷ୍ପତ୍ତି ହୋଇଯାଇଛି । ଡିସେମ୍ବର ୨୦ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ଫଳରେ ଚଳିତ ବର୍ଷ ବାରବାଟୀରେ ଏହା ଦ୍ୱିତୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବାକୁ ଯାଉଥିବାବେଳେ ଶ୍ରୀଲଙ୍କା ବିପକ୍ଷରେ ପଞ୍ଚମ ମ୍ୟାଚ୍ ହେବ ।

ଗତ ମଙ୍ଗଳବାର ବାରବାଟୀରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ମ୍ୟାଚ୍ ଶୃଙ୍ଖଳାର ଗୋଟିଏ ମ୍ୟାଚ୍ ଆୟୋଜନ କରିବାକୁ ବସିସିଆଇ ପକ୍ଷରୁ ଓସିଏକୁ ପ୍ରସ୍ତାବ ଦିଆଯାଇଥିଲା । ନଭେମ୍ବର ୪ ତାରିଖରେ ମ୍ୟାଚ ପାଇଁ ଓସିଏକୁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା । ଏହାକୁ ନେଇ ଓସିଏ ପକ୍ଷରୁ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତୁତ ଥିବା ଜଣାଇ ଦିଆଯାଇଥିଲା । ହେଲେ ସେହି ସମୟରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବାରୁ ସୁରକ୍ଷା ଓ ପାର୍କିଂ ଜନିତ ସମସ୍ୟା ଦେଖାଦେବ ବୋଲି କୁହାଯାଇଥିଲା ।

ତେଣୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାର କୌଣସି ମ୍ୟାଚ୍ କଟକରୁ ଦିଆଯାଉ ବୋଲି ଓସିଏ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଥିଲା । ଏହାକୁ ବିଚାରକୁ ନେଇ ବିସିସିଆଇ ପକ୍ଷରୁ ଶୁକ୍ରବାର ଟେଲିଫୋନ୍ ଯୋଗେ ଡିସେମ୍ବର ୨୦ ତାରିଖରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଉଥିବା ବାବଦରେ ଓସିଏକୁ ଜଣାଇ ଦିଆଯାଇଛି । ଓସିଏ ମଧ୍ୟ ଏଥିପାଇଁ ରାଜି ହୋଇଥିବା ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲାଇ ସୂଚନା ଦେଇଛନ୍ତି।

କଟକରେ ଉଭୟ ଦଳଙ୍କ ମଧ୍ୟରେ ପଞ୍ଚମ ଆନ୍ତର୍ଜାତିକ ମ୍ୟାଚ୍

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବାରବାଟୀରେ ପୂର୍ବରୁ ୪ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି । ୧୯୮୭ ମସିହାରେ ଉଭୟ ଦଳ ମଧ୍ୟରେ ଏଠାରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । କପିଲ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସେହି ଟେଷ୍ଟକୁ ଏକ ପାଳି ଓ ୬୭ ରନରେ ଜିତିଯାଇଥିଲା । ଏହାପରେ ୧୯୯୦ ଡିସେମ୍ବର ୨୮ ତାରିଖରେ ଶ୍ରୀଲଙ୍କା ପ୍ରଥମ ଦିନିକିଆ ଖେଳିଥିଲା ।

୩୬ ରନରେ ଘରୋଇ ଦଳକୁ ପରାସ୍ତ କରି ଏହି ଷ୍ଟାଡିୟମରେ ଶ୍ରୀଲଙ୍କା ପ୍ରଥମ ଓ ଶେଷ ବିଜୟ ପାଇଥିଲା । ୨୦୦୯ ଓ ୨୦୧୪ ମସିହାରେ ଖେଳାଯାଇଥିବା ଅନ୍ୟ ଦୁଇଟି ଦିନିକିଆରେ ଭାରତ ଯଥାକ୍ରମେ ୭ ଓ୍ଵିକେଟ ଓ ୧୬୯ ରନ୍ରେ ବିଜୟୀ ହୋଇଥିଲା । ଶ୍ରୀଲଙ୍କାର ଶେଷ ମ୍ୟାଚରେ ଭାରତ ସର୍ବାଧିକ ରନ୍ ବ୍ୟବଧାନରେ ଜିତି ଏଠାରେ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା ।