ଆଜି କଟକରେ ଦମଦାର ଲଢେଇ…ବାରବାଟୀରେ ବିରାଟ କୋହଲି କିମିଆକୁ ଅପେକ୍ଷା…

280

କନକ ବ୍ୟୁରୋ: ବାରବାଟୀରେ ମୁଖ୍ୟ ଆକର୍ଷଣ ହେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଗତକାଲି ସେ ଅଭ୍ୟାସ କରିବାକୁ ପଡ଼ିଆକୁ ଓହ୍ଲାଇଲା ବେଳେ ସର୍ବାଧିକ କରତାଳି ଓ ଉତ୍ସାହ ତାଙ୍କୁ ହିଁ ମିଳିଥିଲା। ହେଲେ ଏହି ଷ୍ଟାଡିୟମରେ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସେତେଟା ଭଲ ନାହିଁ। କୋହଲି ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଥର ପାଇଁ ବାରବାଟୀରେ ଦିନିକିଆ କ୍ରିକେଟ୍ ଖେଳିଥିଲେ। ସେହି ମ୍ୟାଚରେ ସେ ମାତ୍ର ୩ ରନ୍ କରି ପାରିଥିଲେ। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ କୋହଲି। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୨ ରନ୍ ଆଗକୁ ବଢ଼ି ନ ଥିଲେ ସେ।

image courtesy – www.dnaindia.com

୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ତୃତୀୟ ତଥା ଶେଷ ଦିନିକିଆରେ ମଧ୍ୟ କୋହଲି ପ୍ରଶଂସକଙ୍କ ଆଶା ପୂରଣ କରି ନଥିଲେ। ଏହି ମ୍ୟାଚରେ ସେ ମାତ୍ର ୮ ରନ୍ କରିଥିଲେ। ବାରବାଟୀରେ ଖେଳା ଯାଇଥିବା ଦୁଇଟି ଟ୍ବେଣ୍ଟି-୨୦ ମଧ୍ୟରୁ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ମାତ୍ର ୧ ରନରେ ରନଆଉଟ୍ ହୋଇ ଯାଇଥିଲେ। ୨୦୧୭ର ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସେ ଖେଳି ନ ଥିଲେ। ଚଳିତ ଭାରତ-ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ କୋହଲି ଦୁଇଟି ମ୍ୟାଚରେ ମାତ୍ର ୫ ବଲର ସମ୍ମୁଖୀନ ହୋଇ ୪ ରନ୍ କରିଛନ୍ତି। ଏଣୁ ରବିବାର ମ୍ୟାଚରେ ସ୍ଥାନୀୟ ପ୍ରଶଂସକଙ୍କ ସହ ସମସ୍ତଙ୍କ ନଜର କୋହଲିଙ୍କ ଉପରେ ରହିବ।