ବାର ମାଲିକ ବାଉନ୍ସର ରଖିବା ଉପରେ ଲାଗିବ କଟକଣା । ପୋଲିସର ବିନା ଅନୁମତିରେ ରହିପାରିବେନି ବାଉନ୍ସର । ଅପରାଧିକ ମାମଲାର ଖୋଳତାଡ଼ କରିବ ପୋଲିସ

161

କନକ ବ୍ୟୁରୋ: ବାରରେ ବାଉନ୍ସର ନିଯୁକ୍ତି ନେଇ କଟକଣା । ରାଜଧାନୀର ବାର ମାଲିକମାନେ ଆଉ ମନଇଚ୍ଛା ବାଉନ୍ସର ବା ସୁରକ୍ଷାକର୍ମୀ ନିଯୁକ୍ତ କରିପାରିବେ ନାହିଁ । ନିଯୁକ୍ତି ଦେବା ପୂର୍ବରୁ ବାର ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିକି ଯାଞ୍ଚ କରିବେ । ବିଶେଷ କରି ଅପରାଧ ପୃଷ୍ଠଭୂମି ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଏସଓପି ଜାରି ହୋଇଛି ।

  • ବାହୁ ଦେଖାଇଲେ ବନ୍ଧା ହେବେ ବାଉନ୍ସର
  • ନିୟମ ଭାଙ୍ଗିଲେ ସିଲ ହେବ ବାର୍

ସାବାଡ ହେବେ କଳା ଗଞ୍ଜି ପିନ୍ଧି ଛାତିକୁ ଫୁଲାଇ ବାହୁ ଦେଖାଇ ବାର୍ ଜଗୁଥିବା ବାଉନ୍ସର । ବାଉନ୍ସରଙ୍କ ଉତ୍ପାତ ଭୁବନେଶ୍ୱରର ବିଭିନ୍ନ ବାରରେ ଦେଖିବାକୁ ମିଳୁଛି । କିଏ ଜମି ପୋଜେସନ ଦେବାକୁ କହି ଜବରଦଖଲ କଲାଣି ତ, ପୁଣି କିଏ ଗ୍ରାହକଙ୍କୁ ମାଡ ମାରି ଲହୁଲୁହାଣ କଲାଣି । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ପୁଲିସ ଆଣିଛି ନୂଆ ଏସଓପି ।

  • ବାଉନ୍ସର ପ୍ରଥମତଃ PASARA ଅଧିନରେ ପଞ୍ଜିକୃତ ସୁରକ୍ଷା ସଂସ୍ଥାର ହୋଇଥିବା ଆବଶ୍ୟକ
  • ଚାକିରି ପୂର୍ବରୁ ପୁଲିସର ଯାଞ୍ଚ ଦରକାର
  • ଅପରାଧିକ କାର୍ଯ୍ୟକଳାପ ଅଛି କି ନାହିଁ ତାର ଯାଞ୍ଚ ହେବ
  • ନିକଟସ୍ଥ ଥାନାରେ ଲିଖିତନାମା ଦାଖଲ କରିବେ

ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ-୨୦୦୩ ଅନୁସାରେ, ଯଦି କୌଣସି ବାର, ପବ୍ ଏବଂ କ୍ଲବ ଏହି ନିୟମର ଉଲ୍ଲଙ୍ଘନ କରେ ତେବେ ଧାରା ୧୪୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ୧୧୨କୁ କଲ କରି ପୁଲିସକୁ ଜଣାଇହେବ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜରକୁ ଆସିବା ପରେ ଭୁବନେଶ୍ୱରରେ ପ୍ରାୟ ୭ଟି ବାରକୁ ପୂର୍ବରୁ ସ୍କାନରରେ ରଖାଯାଇଛି । ଏହା ପରେ ବି ଯଦି ନିୟମ ଉଲ୍ଲଙ୍ଘନ କରି କୌଣସି ଗ୍ରାହକଙ୍କ ମାନବିକ ଅଧିକାର କ୍ଷୂର୍ଣ୍ଣ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ଭୁବନେଶ୍ୱରର ବିଭିନ୍ନ ବାର ମାଲିକମାନେ ବେଆଇନ ଭାବେ ଯଦି ବାଉନ୍ସର ରଖନ୍ତି ଏବଂ ସେମାନଙ୍କ କାରନାମା ପୁଲିସର ନଜରକୁ ଆସିବ ତାହା ହେଲେ ସଂପୃକ୍ତ ବାରର ସଟର ପକାଇବା ସହ ଲାଇସେନ୍ସ ରଦ୍ଦ କରିବ ପୁଲିସ ।