କନକ ବ୍ୟୁରୋ : ବାରରେ ବାଉନ୍ସର ନିଯୁକ୍ତି ନେଇ କଟକଣା । ରାଜଧାନୀର ବାର ମାଲିକମାନେ ଆଉ ମନଇଚ୍ଛା ବାଉନ୍ସର ବା ସୁରକ୍ଷାକର୍ମୀ ନିଯୁକ୍ତ କରିପାରିବେ ନାହିଁ । ନିଯୁକ୍ତି ଦେବା ପୂର୍ବରୁ ବାର ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିକି ଯାଞ୍ଚ କରିବେ । ବିଶେଷ କରି ଅପରାଧ ପୃଷ୍ଠଭୂମି ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨ ମାସ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ଏହି ନିୟମ ବଳବତର ରହିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

Advertisment

ନିୟମ ଅନୁସାରେ ଘରୋଇ ସୁରକ୍ଷା ସଂସ୍ଥାରୁ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ ସୁରକ୍ଷାକର୍ମୀଙ୍କ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବାକୁ ବାର୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ୧୧୨କୁ ଫୋନ୍ କରି ସୁରକ୍ଷା କର୍ମଚାରୀଙ୍କ ସୂଚନା ଦେଇପାରିବେ । ସୁରକ୍ଷା କର୍ମଚାରୀମାନେ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାର ଉଲଂଘନ କରିପାରିବେ ନାହିଁ । ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ଖବର ମିଳିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ଜରିମାନା ଆଦାୟ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।