କନକ ବ୍ୟୁରୋ : ଚାରିମହଲାରୁ ଖସିପଡ଼ିଲେ ବାର ଡ୍ୟାନ୍ସର । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଏକ ବାରରେ ଜଣେ ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରୋହିଣୀ ଅଞ୍ଚଳରେ ଥିବା ନର୍ଥ ଏକ୍ସ ମଲରେ ଏଭଳି ଏକ ଘଟଣା ଘଟିଛି । ଯୁବତୀଙ୍କ ଘର ନେପାଳରେ ହୋଇଥିବାବେଳେ ସେ ଦିଲ୍ଲୀର ବିଜୟ ବିହାର ଅଞ୍ଚଳରେ ତାଙ୍କ ଭଉଣୀଙ୍କ ସହିତ ଭଡା ଘରେ ରହୁଥିଲେ। ଗତ ଶନିବାର ରାତିରେ ଏହି ଘଟଣା ଘଟିଥିବାବେଳେ ମଲ କର୍ତୃପକ୍ଷ ମାମଲାକୁ ଚାପିଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ପରିବାରର ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ବାରର ମାଲିକ ତାଙ୍କ ଝିଅକୁ ଅନୈତିକ କାମ କରିବାକୁ ବାଧ୍ୟ କରୁଥିଲେ।

Advertisment

ଯାହାକୁ ନେଇ କିଛି ଦିନ ଧରି ଯୁବତୀ ଜଣକ ମାନସିକ ଚାପରେ ଥିଲେ ।  ଆଉ ବାରମ୍ବାର ତାଙ୍କୁ ହଇରାଣ କରାଯିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ପୁଲିସ ଏହି ମାମଲାରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଛି। ଏହି ରେସ୍ତୋରାଁର ମାଲିକ ତଥା ଅନ୍ୟ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସର କହିବା ମୁତାବକ ମୃତ ଯୁବତୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ରାତିରେ କାର୍ଯ୍ୟକ୍ରମ ପରେ ମଧ୍ୟ ତାଙ୍କୁ ଜବରଦସ୍ତ ଅଟକାଇ ଦିଆଯାଇଥିଲା ଏବଂ କିଛି ଭୁଲ କାମ କରିବାକୁ ବାଧ୍ୟ କରାଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଶେଷରେ ଆତ୍ମହତ୍ୟା କରିବାକୁ ପଡିଥିଲା । ସୂଚନା ଥାଉ କି ମୃତ ଯୁବତୀଙ୍କ ବୟସ ୨୧ ବର୍ଷ ହୋଇଥିବାବେଳେ ତାଙ୍କ ଘର ନେପାଳରେ ବୋଲି ଜଣାପଡିଛି ।