କନକ ବ୍ୟୁରୋ : ଟ୍ରାଫିକ୍ ଜାମ୍କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍ ପ୍ଲାନ୍ ରବିବାର ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଗତ ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମ୍ସି ମୋହର ମାରିବା ପରେ ରବିବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାପୁଜୀନଗର ପରିସର ଓ କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାକଡ଼ରୁ ଜବରଦଖଲ ମଧ୍ୟ ଉଚ୍ଛେଦ କରାଯାଇଛି।
ନୂଆ ନିୟମ ମୁତାବକ, କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ଫ୍ଲାଏ ଓଭରବ୍ରିଜ୍ ନିକଟସ୍ଥ ସର୍ଭିସ୍ ରୋଡ୍ର ଉଭୟ ପାର୍ଶ୍ବରେ କୌଣସି ପରିସ୍ଥିତିରେ ପାର୍କିଂ ହେବାକୁ ଦିଆଯିବ ନାହିଁ। ବାପୁଜୀନଗର ଭିତରେ ‘ସବ୍-ମେନ୍ ରୋଡ୍-୧ ଓ ୨’ ଓ ଅନ୍ୟ ସମାନ୍ତରାଳ ରାସ୍ତା ଗୁଡ଼ିକର ଉଭୟ କଡ଼ରେ ବାର ଅନୁସାରେ ଗାଡ଼ି ପାର୍କିଂ ହେବ। ସୋମ, ବୁଧ ଓ ଶୁକ୍ରବାର ରାସ୍ତାର ବାମପାର୍ଶ୍ବ ଓ ମଙ୍ଗଳ, ଗୁରୁ ଓ ଶନିବାର ରାସ୍ତାର ଡାହାଣ ପାର୍ଶ୍ବରେ ପାର୍କିଂ ହେବ। ଏହାବ୍ୟତୀତ ଏହି ମାର୍କେଟ୍ ଭିତରେ ରବୀନ୍ଦ୍ର ମେଡିସିନ୍ ଷ୍ଟୋର୍, ବ୍ୟାଙ୍କ୍ ଅଫ୍ ବରୋଦା ଓ ଜଗନ୍ନାଥ ସେବା ସଦନ ସାମ୍ନାରେ ରହିଥିବା ଖାଲି ସ୍ଥାନକୁ ଗାଡ଼ି ପାର୍କିଂ ପାଇଁ ବ୍ୟବହାର କରିହେବ ବୋଲି କୁହାଯାଇଛି। ବାପୁଜୀନଗର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିବା ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ଚିହ୍ନଟ କରାଯାଇଛି। ପ୍ରସ୍ଥାନ ରାସ୍ତା ଓ ‘ନୋ ଏଣ୍ଟ୍ରି’ ଦେଇ ପ୍ରବେଶ କରିହେବ ନାହିଁ। ଯାତ୍ରୀମାନେ ସୂଚନା ଫଳକ ଜରିଆରେ ସବିଶେଷ ସୂଚନା ପାଇ ପାରିବେ।
ରାଜମହଲରୁ ଶିଶୁ ଭବନ ରାସ୍ତାରେ କେବଳ ସବ୍-ମେନ୍ ରୋଡ୍-୧(ରାମହଲରୁ ଶିଶୁ ଭବନ ଯିବା ବେଳେ ପ୍ରଥମ ବାମପଟ ଗଳି) ଦେଇ ଭିତରକୁ ପଶି ହେବ। ଏହି ରାସ୍ତା ଦେଇ ବାହାରକୁ ବାହାରି ହେବ ନାହିଁ। କେବଳ ସବ୍-ମେନ୍ ରୋଡ୍-୨ ଦେଇ ବାହାରକୁ ବାହାରି ହେବ। ସବ୍-ମେନ୍ ରୋଡ୍-୧ ଦେଇ ଗାଡ଼ିଗୁଡ଼ିକ ଲେନ୍-୧୨କୁ ପ୍ରବେଶ କରି ପାରିବେ। ଲେନ୍-୧୧ରୁ ସବ୍-ମେନ୍ ରୋଡ୍-୨ ଦେଇ ରାଜମହଲ-ଶିଶୁ ଭବନ ରାସ୍ତାକୁ ବାହାରି ପାରିବେ। ସବ୍-ମେନ୍ ରୋଡ୍-୧ ଓ୨ ଏବଂ ଲେନ୍-୧୧ ଓ ୧୨କୁ ୱାନ୍ ୱେ ଘୋଷଣା କରାଯାଇଛି। ଲାଗୁ ହେଉଥିବା ଏହି ନିୟମକୁ ଉଲ୍ଲଂଘନ କଲେ ସହରାଞ୍ଚଳ ପୁଲିସ ଆଇନ ଦଫା ୯୬ ବଳରେ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସ୍ପଷ୍ଟ କରଯାଇଛି। ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ନୂଆ ବ୍ୟବସ୍ଥା ଉପରେ ନଜର ରଖିବା ସହ ଉଲ୍ଲଂଘନ ହେଲେ ଜରିମାନା କଷିବ। ଏହି ଜାଗାରେ ନୂଆ ବ୍ୟବସ୍ଥା ସଫଳ ହେଲେ ଅନ୍ୟ ମାର୍କେଟ୍ଗୁଡ଼ିକରେ ଏଭଳି ଶୃଙ୍ଖଳିତ ବ୍ୟବସ୍ଥା ଲାଗୁ କରାଯିବ।
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ଏକ ନମ୍ବର ହାଟ ସାମ୍ନା ରାସ୍ତାରେ ଗାଡ଼ି ପାର୍କିଂ ହେଉଥିଲା। ଏହାକୁ ପାର୍କିଂ ସ୍ଥଳ ଭାବରେ ଚିହ୍ନିତ କରି ବିଏମ୍ସି ନିଲାମ କରୁଥିଲା। ଏହି ବ୍ୟବସ୍ଥା ଘୋର୍ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବାରୁ କମିସନରେଟ୍ ପୁଲିସ ହସ୍ତକ୍ଷେପ କରିଥିଲା। ଏଠାରୁ ପାର୍କିଂ ହଟାଇ ଏହାକୁ ବ୍ୟବସ୍ଥିତ କରିବା ପାଇଁ ବିଏମ୍ସି ସହ ଆଲୋଚନା କରିଥିଲା। ଏଠାରୁ ପାର୍କିଂ ହଟାଇବା ପରେ କ୍ୟାପିଟାଲ ଥାନା କଡ଼ରେ ଥିବା ସାଇକେଲ୍ ଷ୍ଟାଣ୍ଡକୁ ବାଇକ୍ ଷ୍ଟାଣ୍ଡ ଭାବରେ ବ୍ୟବହାର କରିବା ପାଇଁ ଘୋଷଣା କରାଯାଇଥିଲା। ଏଠାରେ ଥିବା ଫଳ ଦୋକାନ ସହ ଅନ୍ୟ ସମସ୍ତ ଦୋକାନ ହଟାଇ ଦିଆଯାଇଥିଲା। ଏହି ରାସ୍ତାକୁ ଜବର ଦଖଲମୁକ୍ତ କରାଯିବା ପରେ ବାଇକ୍ ପାର୍କିଂ ବାରଣ କରାଯାଇଛି। କାର୍ ରଖିବା ପାଇଁ ଜାଗା ନଥିବାରୁ ଏହି ଜାଗାରେ କେବଳ ଗୋଟିଏ ଲାଇନ୍ରେ କାର୍ ପାର୍କିଂ ପାଇଁ ଅନୁମତି ଦିଆଯାଇଛି।