କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି । ବାଣପୁର ବ୍ଲକ ନିକଟରେ ବିଜେପି କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇଦେବା ଅଭିଯୋଗ ।  ଗୁରୁତରଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନେକ ସାଧାରଣ ଲୋକ, ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବିଧାୟକ ଗାଡି ଚଢାଇବା ଫଳରେ ବାଣପୁର ଆଇଆଇସି ଆହତ ହୋଇଥିବା ସୂଚନା ମିଳିଛି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି ।

Advertisment

ଏଭଳି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଚିଲିକା ବିଧାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ପ୍ରଶାନ୍ତଙ୍କ ମୁଣ୍ଡ ଫାଟିଥିବା ବେଳେ ସେ ଲହୁଲୁହାଣ ହୋଇଛନ୍ତି । ଏପରିକି ସ୍ଥାନୀୟ ଲୋକେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ଘଟଣାସ୍ଥଳରୁ ପୋଲିସ ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।

ଅନ୍ୟପଟେ ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୭ ଜଣ ଆହତ ହୋଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ । ୯ ଜଣ ପୋଲିସ କର୍ମଚାରୀ, ୧୫ ଜଣ ବିଜେପି କର୍ମୀ, ଜଣେ ବିଜେଡି କର୍ମୀ, ୨ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଏହି ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜଣେ ଜନପ୍ରତିନିଧି ଏଭଳି ନୃଂଶସ କାମ କରିବ ତାହା କଳ୍ପନାର ବାହାରେ । ଯେଉଁ ଅଘଟଣ ଘଟିଛି ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି । ଏଭଳି ଲୋକ ସାଧାରଣ ଜନଜୀବଦନରେ ଚଳିବାକୁ ଅଯୋଗ୍ୟ । ତାଙ୍କୁ ତୁରନ୍ତ ଜେଲର ଚାରିକାନ୍ଥ ମଧ୍ୟକୁ ପଠାଯାଉ । ଜଣେ ବିଧାୟକ ଏଭଳି କାଣ୍ଡ କଲେ ନିଶ୍ଚୟ ଲୋକଙ୍କ ରୋଷର ଶିକାର ହେବେ । ଓଡ଼ିଶାରେ ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଭଳି ଜଣେ ଅମଣିଷ, ଅଯୋଗ୍ୟ ମଣିଷ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

ପୂର୍ବରୁ ପ୍ରଶାନ୍ତଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏପରିକି ପ୍ରଶାନ୍ତ ଜେଲ ମଧ୍ୟ ଯାଇଥିଲେ । ଆଉ ଆଜି ପୁଣିଥରେ ପ୍ରଶାନ୍ତ ଦାଦାଗିରି ଦେଖାଇବା ସହ ଲୋକଙ୍କ ଉପରେ ଗାଡି ଚଢାଇବାକୁ ମଧ୍ୟ ପଛାଇନାହାନ୍ତି ।