କନକ ବ୍ୟୁରୋ : କୋଇଡ଼ା ଖଣି ଅଂଚଳ ମାଲଦା ଗ୍ରାମ ପଂଚାୟତ ପଟାପଡ଼ା ଲୌହ ଖଣି ପକ୍ଷରୁ ବନମହୋତ୍ସବ ପାଳିତ ହୋଇଛି । ପଟାପଦା ପ୍ରକଳ୍ପ ଉଚ୍ଚ ପ୍ରାଥିମକ ବିଦ୍ୟାଳୟରେ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଗହଣରେ ବେଶ ଉତ୍ସାହର ସହ ବନମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଇଡ଼ା ବ୍ଲକର ବନ ଅଧିକାରୀ ଭବନେଶ୍ୱର ରାୟ ଓ ମଧୁସ୍ମିତା ପ୍ରଧାନ ଆଦି ଯୋଗଦାନ କରି, ବୃକ୍ଷରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ । ଆସନ୍ତାକାଲିର ଉଜ୍ଜଳ ଭବିଷ୍ୟତ ପାଇଁ ଆଜି ଗଛ ଲଗାନ୍ତୁ ବୋଲି ଉଦ୍ବୋଧନରେ କହିଥିଲେ । ଏହି ସମାରୋହରେ ଖଣି ମୁଖ୍ୟ ପ୍ରବନ୍ଧକ ହିଂମାଶୁ ଶେଖର ପଟ୍ଟନାୟକ, ଖଣି ଉପ-ମୁଖ୍ୟ ପ୍ରବନ୍ଧକ ଚତୁର୍ଭୁଜ ସାହୁ, ବରିଷ୍ଠ ଖଣି ପରିଚାଳକ ସତ୍ୟଜିତ୍ ପଣ୍ଡା, ତ୍ରିବେଣୀ ଆର୍ଥମୂଭର୍ସ ଖଣି ପରିଚାଳନା ମୁଖ୍ୟ କେ. ମଣିକନ୍ଦନ ଉପସ୍ଥିତ ରହି, ସ୍ଥାନୀୟ ଗ୍ରାମବାସୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବୃକ୍ଷରୋପଣର ଉପାଦେୟତା ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଶେଷରେ ଗ୍ରାମବାସୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଗଛ ବଂଟନ କରାଯାଇଥିଲା । ଏହି ସମସ୍ତ ଆୟୋଜନ, ବରିଷ୍ଠ ଖଣି ପରିଚାଳକ ସତ୍ୟଜିତ୍ ପଣ୍ଡା ଏବଂ ଖଣି ଭୂତତ୍ୱବିତ୍ ପିୟୁସ ସାହୁଙ୍କ ଦ୍ୱାରା ସଂପାଦନା ହୋଇଥିଲା ।