ଗରିବଙ୍କ ଟଙ୍କା ନେଇ ଆଉ ଖସିପାରିବେନି ଚିଟଫଣ୍ଡକାରୀ ! ଜନତାଙ୍କ ଟଙ୍କା ଲୁଟିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ କାଳ ଜେଲ ଦଣ୍ଡାଦେଶ ସହ ଦେବାକୁ ପଡିବ ୫୦ କୋଟି ଟଙ୍କାର ଜରିମାନା

441

ତ୍ରାହି ପାଇବେନି ଚିଟ୍ ଫଣ୍ଡକାରୀ । ସାଧାରଣ ଜନତାଙ୍କୁ ଭୁତାଇ ସେମାନଙ୍କର ଝାଳ ବୁହା ଧନକୁ ହଡପ କରିନେଉଥିବା ବ୍ୟକ୍ତିଙ୍କୁ ଏବେ ଛାଡ ନାହିଁ । କାହିଁକି ନା ରାଷ୍ଟ୍ରପତି ଏଭଳି ଲୋକଙ୍କ ବିରୋଧରେ ପ୍ରସ୍ତୁତ ହୋଇଥିବା ଯୋଜନା ତଥା Banning of Unregulated Deposit Schemes Ordinance, 2019ରେ ମୋହର ଲଗାଇଛନ୍ତି । ଯେଉଁଥିରେ ଅଧିକ ସୁଧ ଦର ଭଳି ପ୍ରଲୋଭନ ଦେଖାଇ ନିରୀହ ଜନତାଙ୍କଠାରୁ ଟଙ୍କା ଲୁଟୁ ଥିବା ଲୋକଙ୍କୁ ଜେଲ ସହିତ କଠୋର ଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଛି । ତେବେ ଏହି ଅଧ୍ୟାଦେଶ ଅବୈଧ ଜମା ଯୋଜନାଗୁଡିକର ଯାଂଚ କରିବ , ଯାହାକି ଅତି ଗରିବ ଲୋକ ଏବଂ ଆର୍ଥିକ ନିରକ୍ଷର ଲୋକଙ୍କର ଟଙ୍କା ଠକି ନେଇଥିବା ଲୋକ ତଥା ସଂସ୍ଥାଗୁଡିକ ଉପରେ ଲଗାମ କଷିବ ।

କଣ ରହିଛି ନିୟମ

• ଅବୈଧ ଜମା ସ୍ୱୀକାର କରିବା ଦ୍ୱାରା ସଂପୂର୍ଣ୍ଣ ଭାବରେ ବ୍ୟାନ କରିଦିଆଯିବ ।

• ଅବୈଧ ଜମା ଯୋଜନା ଚଲାଇବା, ଏଭଳି ଯୋଜନାରେ ଜମା ଟଙ୍କା ଫେରସ୍ତ କିମ୍ବା ସ୍ପେସିଫାଇଡ ସେବା ଦେବାରେ ଜାଲିଆଲି କରିବା, ଏଭଳି ଯୋଜନାର ପ୍ରଲୋଭନ ଦେଖାଇବା ଆଦି ଅପରାଧ ଭାବେ ଗ୍ରହଣ କରାଯିବ ।

• ଏହି ଅପରାଧ ପାଇଁ କଠୋର ଦଣ୍ଡ ଏବଂ ଜରିମାନା ବ୍ୟବସ୍ଥା ରହିଛି ।

• କୌଣସି ବି ବ୍ୟକ୍ତି ଦ୍ୱାରା ଅବୈଧ ଜମା ଯୋଜନାରେ ଟଙ୍କା ଜମା କରିବା ପାଇଁ ପ୍ରୋତ୍ସାହିତ କରିବା ଉପରେ ବି ପ୍ରତିବନ୍ଧକ ଏବଂ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

• ଅବୈଧ ଯୋଜନା ଚଲାଇ ଟଙ୍କା ଜମା ନେଉଥିବା ବ୍ୟକ୍ତିଙ୍କର ସଂପତିକୁ ବାଜ୍ୟାପ୍ତି କରିଦିଆଯିବ ଏବଂ ଏହି ଜମିକୁ ବିକି ଏହାର ଟଙ୍କାକୁ ଜମାକାରୀଙ୍କୁ ଫେରସ୍ତ କରିଦିଆଯିବ ।

• Approved Regulated Deposit Schemes ର ରାଷ୍ଟ୍ରବ୍ୟାପି ଆଧାରରେ କେନ୍ଦ୍ରୀକୃତ ଅନଲାଇନ ଡାଟାବେସ ପ୍ରସ୍ତୁତ କରିବା, ଯାହାଦ୍ୱାରା ସୂଚିତ ହୋଇପାରିବ କି ବାସ୍ତବରେ unregulatedକିଏ ।

ସେହିପରି ଏହି ଅଧ୍ୟାଦେଶ ଅନୁସାରେ ସଂପର୍କୀୟଙ୍କଠାରୁ ଦେଣନେଣ ଉପରେ ରୋକ ଲଗାଯିବ ନାହିଁ । ଲୋକେ ବ୍ୟବହାରିକ ରୂପରେ ଯାହା ବି ଦେଣନେଣ କରିବେ ତାକୁ ଏହି ଅଧ୍ୟାଦେଶେର ସାମିଲ କରାଯିବ ନାହିଁ । ଲୋକେ ନିଜର ସଂପର୍କୀୟଙ୍କଠାରୁ ଦେଣନେଣ କିମ୍ବା ବ୍ୟବସାୟ ପାଇଁ କୌଣସି ଫଫାର୍ମ, କଂପାନୀ କିମ୍ବା ଏଲଏଲପି ଭଳି ସଂସ୍ଥାମାନଙ୍କ ଆର୍ଥିକ କାରବାର କରନ୍ତି ତେବେ ତାହା ବେରୋକଟୋକର ଜାରି ରଖିପାରିବେ ।

କଣ ରହିଛି ଦଣ୍ଡବିଧାନ

ଏହି ଅଧ୍ୟାଦେଶ ଅନୁସାରେ ଦୋଷୀଙ୍କୁ ବର୍ଷେରୁ ୧୦ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । ସେହିଭଳି ୨ ଲକ୍ଷ ଟଙ୍କାରୁ ନେଇ ୫୦ କୋଟି ଟଙ୍କାର ଜରିମାନା ମଧ୍ୟ ଲଗା ଯିବାର ବ୍ୟବସ୍ଥା ରହିଛି । ତେବେ ଉଭୟ କଂପାନୀ ତଥା ଏଜେଂଟ ଏଭଳି କୌଣସି ବି ଯୋଜନାର ବିଜ୍ଞାପନ କରିପାରିବେ ନାହିଁ ଯାହାକି ପଂଜିକୃତ ନଥିବ ।