କନକ ବ୍ୟୁରୋ : ଚଳିତ ସପ୍ତାହାନ୍ତରେ ବ୍ୟାଙ୍କସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି । ଏହି ଧର୍ମଘଟ ଫଳରେ ଡିସେମ୍ବର ୧୬ ଓ ୧୭ ତାରିଖ ଅର୍ଥାତ ଗୁରୁବାର ଓ ଶୁକ୍ରବାର ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ତେବେ ଆସନ୍ତା ଶନିବାର ମାସର ୩ୟ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡ଼ିକ ଖୋଲା ରହିପାରେ । କିନ୍ତୁ କେତେକ ରାଜ୍ୟରେ ସ୍ଥାନୀୟ ଛୁଟି ଯୋଗୁଁ ବ୍ୟାଙ୍କଗୁଡ଼ିକ ଶନିବାର ବି ବନ୍ଦ ରହିବ । ତାହାର ପରଦିନ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ କାରବାର ବନ୍ଦ ରହିବାର ଆଶଙ୍କା ରହିଛି।

Advertisment

ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ କାରବାର ବନ୍ଦ ନେଇ ଷ୍ଟେଟ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ, ଆରବିଏଲ ଆଦି ବ୍ୟାଙ୍କ ଷ୍ଟକ ବଜାରକୁ ଅବଗତ କରିଛନ୍ତି ।

ଦେଶରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳ ଋପାୟନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଗ୍ରଣୀ ଭୂମିକା ନେଉଥିବାବେଳେ ଘରୋଇକରଣ ହେଲେ ସାଧାରଣ ଲୋକେ ପ୍ରଭାବିତ ହେବେ ବୋଲି ୟୁନିଅନର ଆବାହକ ବି.ରାମବାବୁ କହିଛନ୍ତି । ଅନ୍ୟପକ୍ଷରେ ଏହି ଧର୍ମଘଟ ନେଇ ପୁନର୍ବିଚାର କରିବାକୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜ କର୍ମଚାରୀମାନଙ୍କୁ ନିବେଦନ କରାଯାଇଛି । ଷ୍ଟେଟବ୍ୟାଙ୍କ ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ କର୍ମଚାରୀଙ୍କୁ ଧର୍ମଘଟ ନକରିବାକୁ ଅପିଲ କରିଛନ୍ତି ।