କରୋନା ପାଇଁ ବଦଳିଲା ବ୍ୟାଙ୍କର ସମୟ ନିର୍ଘଣ୍ଟ । ଏବେ କେବଳ ୪ ଘଂଟା ଖୋଲା ରହିବ ବ୍ୟାଙ୍କ୍

1,851

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସାରା ଦେଶର ବ୍ୟାଙ୍କ ମାନଙ୍କୁ କାର୍ଯ୍ୟ ନିର୍ଘଣ୍ଟ କମ୍ କରିବାକୁ ପରାମର୍ଶ ଦେଇଛି । ଆଇବିଏର ପରାମର୍ଶ ମୁତାବକ କେବଳ ସକାଳ ୧୦ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତମାସ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିର ସଂଯୋଜକ କହିଥିଲେ କି ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଶାଖା ମାନଙ୍କର ମାନକ ପରିଚାଳନା ପ୍ରକ୍ରିୟା (ଏସ୍ .ଓ.ପି) ର ପରିବର୍ତ୍ତନ କରାଯାଇ ପାରିବ ।

ଏଭଳି ନିର୍ଦ୍ଦେଶ ଆସିବା ପରେ ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ସହିତ ଅନ୍ୟ ସରକାରୀ ଓ ଘରୋଇ ବ୍ୟାଙ୍କମାନେ ଏହି ନିୟମ ଲାଗୁ କରିଦେଇଛନ୍ତି । କହିରଖୁ କି ରାଜ୍ୟମାନଙ୍କରେ କରୋନାର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ବ୍ୟାଙ୍କର୍ସ ସମିତି କେଉଁ କେଉଁ କ୍ଷେତ୍ରରେ ଏହା ଲାଗୁ କରିବ ତାହା ସେମାନେ ନିଷ୍ପତ୍ତି କରିବେ । ଏହି ନିୟମ ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ବ୍ୟାଙ୍କମାନେ କେବଳ ଏହି ୪ ଟି ସେବା ବ୍ୟତୀତ ଅନ୍ୟ ସେବା ଦେବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ । ବାଧ୍ୟତାମୂଳକ ସେବା ମଧ୍ୟରେ ରହିଛି ଟଙ୍କା ଜମା କରିବା, ଉଠାଣ କରିବା, ଚେକ୍ ସହିତ ଜଡିତ କିଛି ବି କାମ କରିବା ଓ ଡିମାଣ୍ଡ ଡ୍ରାଫ୍ଟ ସମ୍ବନ୍ଧୀୟ କାର୍ଯ୍ୟ କରିବା ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ କେବଳ ୫୦ ପ୍ରତିଶତ କର୍ମଚାରୀରେ କାମ କରିପାରିବେ । ସମ୍ପୂର୍ଣ୍ଣ କୋଭିଡ୍ ପ୍ରୋଟକଲ ମଧ୍ୟରେ କାମ କରିବାକୁ ବ୍ୟାଙ୍କମାନଙ୍କୁ ସଂଘ ତରଫରୁ ପରାମର୍ଶ ଦିଆଯାଇଛି ।