ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ବ୍ୟାଙ୍କମାନଙ୍କ ନୂଆ ଯୋଜନା । ଟିକା ନେଇଥିବା ଲୋକ ଏହି ବ୍ୟାଙ୍କମାନଙ୍କରେ ଫିକ୍ସଡ୍ ଡିପୋଜିଟ୍ କଲେ ମିଳିବ ଅଧିକ ସୁଧହାର

351

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଲୋକମାନଙ୍କ ଖର୍ଚ୍ଚର ଅଟକଳ ବଦଳି ଯାଇଛି । ଲୋକମାନେ ସଂଚୟ ଓ ନିବେଶ ଉପରୁ ଧ୍ୟାନ ହଟାଇଛନ୍ତି । ଏହାସହ ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କିଛି ଲୋକଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି , ଅର୍ଥାତ ଲୋକଙ୍କୁ ସଂଚୟାଭିମୂଖୀ କରାଇବା ସହ ଟିକାକରଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ କିଛି ସରକାରୀ ବ୍ୟଙ୍କ ଏକ ସୁଯୋଗ ଆଣିଛନ୍ତି । କିଛି ସରକାରୀ ବ୍ୟାଙ୍କ ଘୋଷଣା କରିଛନ୍ତି ଯେ, ଯେଉଁମାନେ ଟିକା ନେଇଛନ୍ତି ସେମାନେ ଯଦି ବ୍ୟାଙ୍କରେ ଟଙ୍କା ଫିକ୍ସଡ୍ ଡିପୋଜିଟ୍ କରନ୍ତି ତେବେ ସେମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଧିକ ହାରରେ ସୁଧ ମିଳିବ ।

ଏନେଇ ଜାତୀୟକରଣ ବ୍ୟାଙ୍କ ‘ୟୁକୋ ବ୍ୟାଙ୍କ’ ଘୋଷଣା କରିଛି କି ଯେଉଁ ଲୋକମାନେ ଟିକାର ଗୋଟିଏ ବି ଖୋରାକ ନେଇଛନ୍ତି ସେମାନେ ଯଦି ୟୁକୋ ବ୍ୟାଙ୍କରେ ସର୍ବନିମ୍ନ ୯୯ ଦିନ ପାଇଁ ଫିକ୍ସଡ୍ ଡିପୋଜିଟ୍ କରନ୍ତି ତେବେ ସେମାନଙ୍କୁ ୦.୩୦ ପ୍ରତିଶତ ଅଧିକ ସୁଧ ମିଳିବ । ଏହି ଅଫର ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ । ଏହି ସ୍କିମରେ ଜମା କରୁଥିବା ବ୍ୟକ୍ତିଙ୍କୁ ୫.୩୦ ପ୍ରତିଶତ ହାରରେ ସୁଧ ମିଳିବ । ଏହି ସ୍କିମରେ ଜଣେ ବ୍ୟକ୍ତି ସର୍ବନିମ୍ନ ୫ ହଜାର ଓ ସର୍ବାଧିକ ୨ କୋଟି ଟଙ୍କା ଜମା କରିପାରିବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି ।

ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍’ ସ୍କିମ୍ ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଲୋକମାନଙ୍କୁ ଟିକାନେବା ପାଇଁ ପ୍ରୋତ୍ସାହିତ କରିବା ଉର୍ଦ୍ଦେଶ୍ୟରେ ଏଭଳି ସ୍କିମର ଘୋଷଣା କରାଯାଇଛି । ଟିକା ନେଇଥିବା ଲୋକମାନେ ଏହି ସ୍କିମରେ ଡିପୋଜିଟ କଲେ ଅଧିକ ୦.୨୫ ପ୍ରତିଶତ ସୁଧ ମିିଳିବ ବୋଲି କୁହାଯାଇଛି । ଏହି ଯୋଜନାର ଅବଧି ୧,୧୧୧ ଦିନ ଏହାସହ ଏହି ଯୋଜନାରେ ବରିଷ୍ଠ ନାଗରିକ ମାନେ ନିବେଶ କଲେ ସେମାନଙ୍କୁ ୦.୫୦ ପ୍ରତିଶତ ଅଧିକ ସୁଧହାର ମିଳିବ ।