କନକ ବ୍ୟୁରୋ: ଅନୀଲ ଅମ୍ବାନୀ ଏବେ ଆଉ ଏକ ସମସ୍ୟାରେ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଁ ଅଡୁଆରେ ପଡିଛନ୍ତି ଅନୀଲ ଅମ୍ବାନୀ । ଆୟକର ବିଭାଗ ର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ୍ ଜାରି କରିଥିଲେ । ହେଲେ ଅନୀଲ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର ବିଭିଗ ପକ୍ଷରୁ ଆହୁରି କଡା ପଦକ୍ଷେପ ନିଆଯାଇଛି ।

Advertisment

ଅନୀଲଙ୍କ ବିରୋଧରେ ୮୦୦ କୋଟି ଟଙ୍କାର ଅଘୋଷିତ ବିଦେଶୀ ସମ୍ପତ୍ତି ଓ ନିବେଶ ଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ପୂର୍ବରୁ ତଦନ୍ତକାରୀ ଟିମ୍ ୮୦୦ କୋଟିର ଅଘୋଷିତ ସମ୍ପତତି ନେଇ ଅନୀଲଙ୍କୁ ଜବାବ ତଲବ କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ଦେଇନଥିଲେ । ତାଙ୍କୁ ୨୦୧୯ରେ ଏନେଇ ପ୍ରଥମେ ନୋଟିସ୍ ହୋଇଥିଲା । ଯେଉଁଥିରେ ୮୦୦ କୋଟିରୁ ଅଧିକ ସମ୍ପତ୍ତିଥିବା ଅଭିଯୋଗ ହୋଇଥିଲା ।

ତଦନ୍ତ ରିପୋର୍ଟ ମୁତାବକ, ଅନୀଲଙ୍କର ବାହମାସ୍ ଓ ବ୍ରିଟେନର ଭର୍ଜିନ୍ ଆଇଲ୍ୟାଣ୍ଡରେ ସମ୍ପତ୍ତି ରହିଛି । ଏହା ଅନୀଲଙ୍କ ମାଲିକାନାରେ ଥିବା ଦୁଇଟି କମ୍ପାନୀ ତାଙ୍କ ନାଁରେ ରହିଛି । ଏହି ଦୁଇ କମ୍ପାନୀ ହେଲା ଡ୍ରିମୱାର୍କ ହୋଲ୍ଡିଙ୍ଗ ଇଙ୍କ୍ ଓ ନର୍ଥ ଆଟଲାଣ୍ଟିକ୍ ଟ୍ରେଡିଙ୍ଗ ଅନଲିମିଟେଡ୍ । ୨୦୧୫ରେ ସ୍ୱିସ୍ ଲିଙ୍କରେ ଏନେଇ ସବିଶେଷ ତଥ୍ୟ ଆସିଥିଲା । ଅନୀଲ ସେହି ୧୦୦୦ ଭାରତୀୟଙ୍କ ଲିଷ୍ଟରେ ଥିଲେ ଯେଉଁମାନଙ୍କର ଏଚଏସବିସିର ଜନେଭା ବ୍ରାଞ୍ଚରେ ଆକଉଣ୍ଟ ଥିଲା ।