ଚାଷ ଜମିରେ ୨୨ ବର୍ଷ…ଜଣେ ସଫଳ ଚାଷୀଙ୍କ କାହାଣୀ । ଚାକିରି ପଛରେ ନଗୋଡାଇ ନିଜର ୨ଏକର ଜମିରେ ଫଳାଉଛନ୍ତି ସୁନାର ଫସଲ

ତ୍ରିଲୋଚନଙ୍କ ଏହି ସଫଳତା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା

447

କନକ ବ୍ୟୁରୋ: ଜଣେ ବ୍ୟକ୍ତିକୁ ସଫଳତାର ସୋପାନରେ ପହଞ୍ଚିବାକୁ ହେଲେ ତାକୁ ଅନେକ କିଛି ଘାତ ପ୍ରତିଘାତର ସାମ୍ନା କରିବାକୁ ପଡିଥାଏ । ତେବେ ଯାଇ ସେ ବ୍ୟକ୍ତିଟି ସଫଳତା ଅର୍ଜନ କରିଥାଏ । ସେହିଭଳି ଜଣେ ସଫଳ ଚାଷୀ ହେଉଛନ୍ତି ବାଙ୍କୀ ଡମପଡା ବ୍ଲକର ତ୍ରିଲୋଚନ ସାହୁ । ଅନେକ ଚାଷୀ ନିଜ ଚାଷ କାର୍ଯ୍ୟରୁ ଦୁରେଇ ଯାଉଥିବା ବେଳେ ସେ କିନ୍ତୁ ଏହି ଚାଷ କାର୍ଯ୍ୟକରି ତିନୋଟି ପିଲାଙ୍କୁ ମଣିଷ କରିବା ସହ ଅନ୍ୟ ଚାଷୀଭାଇ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ତ୍ରିଲୋଚନ ନିଜର ଦୁଇ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ । ମାଟିରେ ମାଟି ହୋଇ, ସେ ଫଳାଇଛନ୍ତି କାକୁଡି, କଲରା, ଝୁଡଙ୍ଗ, ପୋଟଳ, ଲଙ୍କା ଭଳି କେତେ କଣ ପନିପରିବା । ଏବି ପରିବା ଫସଲରୁ ହେଉଥିବା ଆୟରେ ପରିବାର ପ୍ରତିପୋଷଣ କରିବା ସହ ନିଜ ୩ଟି ପିଲାଙ୍କୁ ଇଂଜିନିୟରିଂ ପାଠ ପଢାଇଛନ୍ତି । ବାତ୍ୟା-ବନ୍ୟାଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛନ୍ତି ତ୍ରିଲୋଚନ । ହେଲେ ଚାଷରୁ କେବେ ସେ ମୁହଁ ଫେରାଇ ନେଇନାହାନ୍ତି । ଜଣେ ସଫଳ ଚାଷୀ ହେବାକୁ ହେଲେ ଅନେକ କ୍ଷାତ ପ୍ରତିକ୍ଷାତ ସହିବାକୁ ପଡେ ବୋଲି କୁହନ୍ତି ବାଙ୍କୀର ଏହି ପ୍ରେରଣାଦାୟୀ ବ୍ୟକ୍ତି ।

କଥାରେ ଅଛି ଚାଷ କାମ ଯାହାର , କି ଆନନ୍ଦ ତାହାର ଆଉ ଏହାକୁ ପ୍ରମାଣ କରିଛନ୍ତି ବାଙ୍କୀ ଅଂଚଳର ଚାଷୀ ତ୍ରିଲୋଚନ । ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚାଷ ପ୍ରତି ଥିବା ନିଷ୍ଠା ତ୍ରିଲୋଚନଙ୍କୁ ସ୍ଥାନୀୟ ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ସଫଳ ଚାଷୀ ତ୍ରିଲୋଚନଙ୍କୁ ଚାଷ କାମରେ ପୂର୍ଣ୍ଣ ସହଯୋଗ କରିଥାନ୍ତି ତାଙ୍କ ପତ୍ନୀ । ଚାକିରି ପଛରେ ଗୋଡାଉଥିବା ଯୁବପୀଢିଙ୍କ ପାଇଁ ତ୍ରିଲୋଚନ ଜଣେ ଜ୍ୱଳନ୍ତ ଉଦାହରଣ ।