କନକ ବ୍ୟୁରୋ: ଫେବ୍ରୁଆରୀରେ ଅନେକ କିଛି ପରିବର୍ତ୍ତନ ପରିବର୍ତ୍ତନ ଆସିପାରେ । ଫେବ୍ରୁଆରୀ ୧ ତାରିଖ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ । ଫଳରେ ଦେଶର ଅର୍ଥ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିବା ସହ ଏହା ସହ ଜଡିତ ବ୍ୟାଙ୍କ ନିୟମ ଗୁଡିକରେ ମଧ୍ୟ କିଛି ପରିବର୍ତ୍ତନ ଆସିବାର ସୂଚନା ରହିଛି । ପହିଲାରୁ ଏସବୁ ବ୍ୟାଙ୍କ ଗୁଡିକରେ ଟଙ୍କା ଲେଣଦେଣ ନେଇ କିଛି ପରିବର୍ତ୍ତନ ହେବ ।
ଏସବିଆଇ ବ୍ୟାଙ୍କ ଫେବୃଆରୀ ୧ ରୁ ଟଙ୍କା ଟ୍ରାନଜାକ୍ସନ୍ ପାଇଁ ନିୟମ ପରିବର୍ତ୍ତନ କରିବ । ବ୍ୟାଙ୍କ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଆଇଏମପିଏସ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର ପାଇଁ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଆଦାୟ କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କା ପରିବର୍ତ୍ତେ ଆଇଏମପିଏସ ମାଧ୍ୟମରେ କାରବାରର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି।
ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ଫେବୃଆରୀ ୧ ରୁ ଚେକ୍ କ୍ଲିୟରାନ୍ସ ସମ୍ବନ୍ଧୀୟ ନିୟମ ବଦଳାଉଛି । ଫେବୃଆରୀ ୧ ରୁ, ଗ୍ରାହକମାନଙ୍କୁ ଚେକ୍ ଦେୟ ପାଇଁ ଏକ ପଜିଟିଭ୍ ପେ’ ସିଷ୍ଟମ୍ ଅନୁସରଣ କରିବାକୁ ପଡିବ । ଅର୍ଥାତ୍ ଚେକ୍ ସମ୍ବନ୍ଧୀୟ ସମସ୍ତ ସୂଚନା ଦେବାପରେ ହିଁ ଚେକ୍ କ୍ଲିଅରାନ୍ସ ହୋଇପାରିବ । ଏହି ନିୟମ ଗୁଡିକ ୧୦ ଲକ୍ଷ ଟଙ୍କାରୁ ଅଧିକ ଚେକ୍ କ୍ଲିୟରାନ୍ସ ପାଇଁ ଲାଗୁ କରାଯିବ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଯେଉଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛି ତାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ଅଭାବରୁ କିସ୍ତି କିମ୍ବା ନିବେଶ ବିଫଳ ହୁଏ, ତେବେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିବ । ଏପର୍ୟ୍ୟନ୍ତ ଜରିମାନା ୧୦୦ ଟଙ୍କା ଥିଲା ଯାହା ବୃଦ୍ଧି ପାଇବ ।
ବ୍ୟାଙ୍କ ନିୟମ ଗୁଡିକ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏଥର, ଫେବୃଆରୀ ୧ ରେ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କ'ଣ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ଡାଇରେକ୍ଟ ଓ ଇନଡାଇରେକ୍ଟ ଟ୍ୟାକ୍ସ ସହ ଜଡିତ ନିୟମ ଗୁଡିକରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।