ବାଙ୍କୀରେ କାହାର ଚାଲିବ ଯାଦୁ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ବିଜୟର ବଡ ଫର୍ମୁଲା ! କମବ୍ୟାକ୍ କରିବାକୁ କଂଗ୍ରେସର ଲକ୍ଷ୍ୟ, ଗଡ ରକ୍ଷା କରିବାକୁ ବିଜେଡି କରୁଛି ବ୍ଲୁ-ପ୍ରିଣ୍ଟ । ବିଜେପି ଟିକେଟ ପାଇଁ ଲମ୍ବା ଲାଇନ

441

କନକ ବ୍ୟୁରୋ : କାହା ହାତରେ ରହିବ ବାଙ୍କୀଗଡ଼ର ମଙ୍ଗ । ଉପକୂଳବର୍ତ୍ତୀ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ କିଏ ଉଡାଇବ ବିଜୟ ବାନା । ୨୦୧୪ ନିର୍ବାଚନ ପରଠାରୁ ଏହି ଆସନ ଚର୍ଚ୍ଚାରେ ରହି ଆସିଛି । ବିଜେଡି ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଚିଟଫଣ୍ଡ ଜାଲରେ ଛନ୍ଦିହେବା ପରେ ବିରୋଧୀଙ୍କ ରାଡାରରେ ରହିଛି ଆସନ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏହି ଆସନରୁ କେଉଁ ଯୋଦ୍ଧା ନିର୍ବାଚନ ମୈଦାନକୁ ଓହ୍ଳାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଚଳିତଥର ସ୍ଥାନୀୟ ପ୍ରସଙ୍ଗକୁ ବାଦ୍ ଦେଲେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ବିଜୟର ମାପକାଠି ସାଜିପାରେ ବୋଲି ଚର୍ଚ୍ଚା ହେଉଛି ।

ବାଙ୍କୀ, ଡ଼ମପଡା ଓ ବାରଙ୍ଗ ବ୍ଲକର କିଛି ଅଂଶକୁ ନେଇ ଗଠିତ ହୋଇଛି ଏହି ଆସନ। ବିଜେଡି ଏହି ଆସନରେ ଡେବ୍ୟୁ ମ୍ୟାଚରେ ହିଁ ମାଷ୍ଟରଷ୍ଟ୍ରୋକ ମାରିଥିଲା । ତେବେ ୨୦୦୪ରେ ଏହି ଆସନରେ କଂଗ୍ରେସ ପୁଣିଥରେ କମବ୍ୟାକ୍ କରିଥିଲା । କିନ୍ତୁ ଗତ ଦୁଇଟି ନିର୍ବାଚନରେ ଏଠାରେ ବିଜୟ ବାନା ଉଡାଇ ଆସୁଛି ବିଜେଡି । କିନ୍ତୁ ଚଳିତ ଥର ବିଧାୟକ ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ ମାମଲାରେ ଛନ୍ଦି ହେବା ପରେ ବ୍ୟାକଫୁଟକୁ ଠେଲି ହୋଇଯାଇଛି ବିଜେଡି । ଯଦି ବିଜେଡି ଦଳ ଚିଟଫଣ୍ଡ ଲିଙ୍କରେ ନାଁ ଆସିଥିବା ନେତାଙ୍କୁ ବାଦ୍ ଦିଏ ତେବେ ହୁଏତ ପ୍ରଭାତଙ୍କ ପୁଣିଥରେ ବିଧାୟକ ହେବା ଆଶା ସ୍ୱପ୍ନରେ ରହି ଯାଇପାରେ । ତେବେ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ବିଜେଡି ପ୍ରଭାତଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାଦ୍ୱାରା ଗଡ ରକ୍ଷା କରାଯିବା ସହ ପ୍ରଭାତଙ୍କୁ ମଧ୍ୟ ସନ୍ତୁଷ୍ଟ କରାଯାଇପାରିବ ବୋଲି ଦଳର କ୍ରାଇସିସ ମ୍ୟାନେଜର ମାନେ ଚିନ୍ତା କରୁଛନ୍ତି । କିନ୍ତୁ ଯଦି ଚିଟଫଣ୍ଡ ପ୍ରସଙ୍ଗକୁ ଦଳ ଗୁରୁତ୍ୱ ନ ଦିଏ ତେବେ ପ୍ରଭାତ ପୁଣିଥରେ ବିଜେଡି ଟିକେଟର ପ୍ରମୁଖ ଦାବିଦାର ରହିବେ ।

ଅନ୍ୟପଟେ ପ୍ରଭାତଙ୍କୁ ଚ୍ୟାଲେଞ୍ଜ ଦେଇ ଗତ କିଛି ଦିନ ହେଲା ପୂର୍ବତନ ଜନତା ଦଳର ବିଧାୟକ ସ୍ୱର୍ଗତଃ ଘନଶ୍ୟାମ ସାହୁଙ୍କ ଲଣ୍ଡନ ଫେରନ୍ତା ପୁଅ ସବ୍ୟସାଚୀ ସାହୁ ମଧ୍ୟ ବିଜେଡି ଟିକେଟ ରେସରେ ନିଜକୁ ସାମିଲ କରିଛନ୍ତି । ଏପରିକି ବାଙ୍କୀରେ ବିଜେଡି ପତାକାରେ ପ୍ରଭାତଙ୍କ ବିରୋଧରେ ସମାନ୍ତାରଳ କାର୍ଯ୍ୟକ୍ରମ କରି ନିଜ ସଙ୍ଗଠନକୁ ସଦୃଢ କରିବାରେ ଲାଗିଛନ୍ତି । ସେହିଭଳି ବିଜେଡିରୁ ଟିକେଟ ହାତେଇବା ପାଇଁ ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତି ମଧ୍ୟ ଲବି ଆରମ୍ଭ କରିଛନ୍ତି । ସେ ମଧ୍ୟ ବିଜେଡି ଟିକେଟର ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ଏଭଳି ଛକାପଞ୍ଝା ଦେଖି କଂଗ୍ରେସ ନିର୍ବାଚନ ବୈତରଣୀ ପାର ହେବାକୁ ପାଗ ଭିଡିଛି । କଂଗ୍ରେସ ଟିକେଟରୁ ଦେବାଶିଷ ପଟ୍ଟନାୟକ ନିର୍ବାଚନ ଲଢିବା ଏକରକମ ସ୍ଥିର ହୋଇ ସାରିଛି । କେବଳ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣାକୁ ଅପେକ୍ଷା କରାଯାଇଛି । କଂଗ୍ରେସରେ ବଡଧରଣର ଗୋଷ୍ଠୀକନ୍ଦଳ ନଥିଲେ ମଧ୍ୟ ଗତଥର ପ୍ରାର୍ଥୀ ହୋଇଥିବା ରବି ମଲ୍ଲିକ ମଧ୍ୟ ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି । ସେ ମଧ୍ୟ କଂଗ୍ରେସ ଟିକେଟ ଆଶାୟୀ ଦୌଡରେ ଥିବା ଚର୍ଚ୍ଚା ହେଉଛି ।

ତେବେ ବିଜେପିର ପାଇଁ ବଡ ବିପଦ ଭାବେ ଉଭା ହୋଇପାରନ୍ତି ଆଶାୟୀ ପ୍ରାର୍ଥୀ । ବିଜେପି ଟିକେଟରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରାୟ ଅଧ ଡଜନେ ଆଶାୟୀ ଆଶା ବାନ୍ଧି ବସିଛନ୍ତି । ତେବେ ଏହି ରେସରେ ସର୍ବାଗ୍ରେ ରହିଛନ୍ତି ସଜ ସଜ ଦଳରେ ସାମିଲ ହୋଇଥିବା ତୁଷାର କାନ୍ତ ଚକ୍ରବର୍ତ୍ତୀ । ତାଙ୍କୁ ଟିକେଟ ମିଳିଲେ ଉଭୟ ବିଜେଡି ଓ କଂଗ୍ରେସକୁ କଡା ଟକ୍କର ବିଜେପି ଦେଇପାରିବ ବୋଲି ତାଙ୍କର ସମର୍ଥକ ଗୋଷ୍ଠୀ କହି ବୁଲୁଛନ୍ତି । ସେହିଭଳି ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ, ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ଅଜୟ କୁମାର ସ୍ବାଇଁ, ନାରୀ ନେତ୍ରୀ ପଦ୍ମଜା ଦେବତା, ସୁବଳ ବେହେରା ମଧ୍ୟ ଟିକେଟ ଆଶାୟୀ ଦୌଡରେ ରହିଛନ୍ତି ।

ଏଭଳି ଗୋଳମାଳିଆ ରାଜନୀତି ଭିତରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ପୂରା ନିର୍ବାଚନର ସମୀକରଣ ନିର୍ଭର କରୁଛି । ତେବେ ସ୍ଥାନୀୟ ପ୍ରସଙ୍ଗ ବ୍ୟତୀତ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ବାଙ୍କୀ ମୈଦାନରେ ବଡ ଫ୍ୟାକ୍ଟର ଭାବେ କାମ କରିବ । ଆଉ ଏହା ସ୍ପଷ୍ଟ ଯେ, ଆଗାମୀ ନିର୍ବାଚନରେ ବାଙ୍କୀରେ ବଡ ଲଢେଇ ଦେଖିବାକୁ ମିଳିବ ।