ବାଙ୍କିରେ ବନ୍ୟା । ତଳିଆ ଅଂଚଳର ଅନେକ ଗାଁରେ ପଶିଲା ପାଣି, ବନ୍ୟା ସାଙ୍ଗକୁ ବର୍ଷା ସ୍ଥିତିକୁ କରୁଛି ଜଟିଳ

282

କନକ ବ୍ୟୁରୋ : ମହାନଦୀରେ ବନ୍ୟା ଜଳ ଆସିବା ଫଳରେ ବାଙ୍କିରେ ସ୍ଥିତି ସଙ୍ଗୀନ ହୋଇଛି । ବାଙ୍କିର ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତର ୧୫ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏପରିକି ତଳିଆ ଅଂଚଳରେ ଥିବା ବହୁ ଘର ଭିତରେ ପାଣି ପଶିଯାଇଛି । ବନ୍ୟା ପାଣି ମାଡୁଥିବାରୁ ଲୋକମାନେ ଭୟରେ ନିଜର ଅତ୍ୟାବଶ୍ୟକୀୟ ଜିନିଷ ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଦେଖିବାକୁ ମିଳିଛି ।

ତେବେ ପାଣି ପଶିଥିବା ବିଭିନ୍ନ ଗାଁରେ ପ୍ରଶାସନ ନପହଁଚି ଥିବାରୁ ଏହାକୁ ନେଇ ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମହାନଦୀରେ ବନ୍ୟା ପାଣି ଆସିବା କାରଣରୁ ବାଙ୍କୀ ଅଞ୍ଚଳରେ ବାରମ୍ବାର ଏପରି ଭାବରେ ପାଣି ପଶୁଛି । ଗୋଟିଏ ପଟେ ବନ୍ୟା ଓ ଅନ୍ୟପଟେ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ତଳିଆ ଅଞ୍ଚଳର ଅଧିକାଂଶ ଘରେ ପାଣିପଶିଛି । ବନ୍ୟାସ୍ଥିତି ସମୟରେ କୌଣସି ପ୍ରଶାସନିକ ଅଧିକାରୀ ବନ୍ୟାପ୍ରପୀଡିତାଙ୍କ ପାଖରେ ପହଞ୍ଚିନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି ।