କନକ ବ୍ୟୁରୋ : କଟକ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗକାରୀ ହେଲେ ପୂର୍ବତନ ବିଧାୟକ । ସାଧାରଣ ଲୋକଙ୍କ ପରି ଦରଖାସ୍ତ ଟିକଟ ଧରି ଧାଡିରେ ଯାଇ ପହଞ୍ଚିଲେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ଜିଲ୍ଲାପାଳଙ୍କ ନିକଟରେ ରଖିଲେ ସାଧାରଣ ଲୋକଙ୍କ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି ଯେ, ନୂଆଗାଁ ପଂଚାୟତରେ ନୂତନ ଭାବେ ଗଠନ ହୋଇଥିବା ସେବା ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମବାୟ ବିଭାଗର ଡିଆରସିଏସ୍ ଧରାଛୁଆଁ ଦେଉନାହାନ୍ତି ।

Advertisment

ସମବାୟ ବିଭାଗର ରେଜିଷ୍ଟରଙ୍କ ନିର୍ଦ୍ଦେଶକୁ ମାନୁନଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ତୁରନ୍ତ ଏହା ଦିଗରେ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ପୂର୍ବତନ ବିଧାୟକଙ୍କଠାରୁ ଅଭିଯୋଗ ଶୁଣିବା ପରେ ତୁରନ୍ତ ବିଭାଗୀୟ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ଜିଲ୍ଲାପାଳ । ଜନ ଶୁଣାଣିରେ ଡିଆରସିଏସ୍, ବାଙ୍କୀ ଏଆରସିଏସ୍ ଅନୁପସ୍ଥିତ ଥିବାରୁ ବିରକ୍ତ ପ୍ରକାଶ କରିଥିଲେ ଜିଲ୍ଲାପାଳ । ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।