ବାଙ୍କୀ ହତ୍ୟାକାଣ୍ଡର ବର୍ବରଚିତ କାହାଣୀ…ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ, କେମିତି ଭଗବାନଙ୍କୁ ମାରିବା ପାଇଁ ମୃତ୍ୟୁର ଜାଲ ବିଛାଇଥିଲେ ୧୦ରୁ ଅଧିକ ଦୁର୍ବୃତ୍ତ

1,959

କନକ ବ୍ୟୁରୋ: ବାଙ୍କୀ ଅଂଚଳରେ ଏକ ହତ୍ୟାକାଣ୍ଡ ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ସରପଂଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ପ୍ରଥମେ ସରପଂଚଙ୍କ ସ୍ୱାମୀଙ୍କ ବାଇକକୁ ଅଟକାଇଥିଲେ । ସେଠାରେ ବିଭିନ୍ନ ମାରଣାସ୍ତ୍ର ଧରି ଛକି ରହିଥିବା ପ୍ରାୟ ୧୫ ଜଣ ଦୁବୃର୍ତ୍ତ ସଂଘବଦ୍ଧ ଭାବେ ଦୁହିଁକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଉଭୟ ଗୁରୁତର ହସ୍ପିଟାଲ ଯିବା ବାଟରେ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖିବାକୁ ମିଳିଥିଲା ।

 

ବାଙ୍କୀ ବୈଦେଶ୍ୱର ଥାନା ଡବଲ ମର୍ଡରର ପ୍ରତ୍ୟକ୍ଷଦର୍ଶୀ ବର୍ଣ୍ଣନା କରିଛନ୍ତି କେମିତି ହୋଇଥିଲା ଏହି ବର୍ବରଚିତ ହତ୍ୟାକାଣ୍ଡ । କିପରି ମୃତ୍ୟୁର ଜାଲ ବିଛାଇଥିଲେ ୧୦ରୁ ଅଧିକ ଦୁର୍ବୃତ୍ତ । ଯେଉଁ ବାଇକରେ ଖଜୁରିପଦା-ନୂଆଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଆସୁଥିଲେ, ସେହି ବାଇକରେ ଥିଲେ ମାନସ । ଜିଆଇ ତାର ଟାଣି ଗାଡ଼ି ଅଟକାଇବା ପରେ କିପରି ମରଣାନ୍ତକ ଆକ୍ରମଣ କରାଯାଇଥିଲା ବର୍ଣ୍ଣନା କରିଛନ୍ତି ସେ । ରାଜନୈତିକ ଶତ୍ରୁତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଂଟାକୁଂଟାକୁ ନେଇ ଚାଲିଥିବା ବିବାଦରେ ବଳି ପଡ଼ିଯାଇଛନ୍ତି ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ, ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂ । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ଯିବା ବେଳେ ଆକ୍ରମଣକାରୀଙ୍କ ନାଁ କହିଥିଲେ ଭଗବାନ ।

ଏପଟେ କାନ୍ଦବୋବାଳିରେ ଫାଟି ପଡୁଛି ଗାଁଦାଣ୍ଡ । ପୁଅକୁ ହରାଇ ଭୂଇଁରେ ଲୋଟିପଡୁଛନ୍ତି ମାଆ । ଏହି ହୃଦୟବିଦାରକ କାହାଣୀ ହେଉଛି ବାଙ୍କୀ-ବୈଦେଶ୍ୱର ଥାନା ଅର୍ନ୍ତଗତ ଖଜୁରୀପଦା ଗାଁର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଚାଂଚଲ୍ୟ ଖେଳିଯାଇଥିବା ବେଳେ ପଂଚାୟତକୁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଘର ଭାଗବଂଟାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି ମୃତ ଭଗବାନ ସ୍ୱାଇଁଙ୍କ ଭାଇ ।