ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ ! ପାରିଶ୍ରମିକ ସଂଶୋଧନ ଦାବି ନେଇ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ୍ ।

506

କନକ ବ୍ୟୁରୋ: ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ଜାନୁଆରି ୩୧ ଓ ଫେବ୍ରୁଆରୀ ୧ ତାରିଖ ଦୁଇ ଦିନ ଧରି ଦେଶବ୍ୟାପୀ ଧର୍ମଘଟ ହେବ । ଏନେଇ ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ’ ନିଷ୍ପତ୍ତି ନେଇଛି। ‘ଇଣ୍ଡିଆନ୍ ବ୍ୟାଙ୍କସ ଆସୋସିଏସନ୍’ ସହ ପାରିଶ୍ରମିକ ସଂଶୋଧନ ଆଲୋଚନା ବିଫଳ ହେବାରୁ ଏଭଳି ନିଷ୍ପତି ନେଇଛି ସଂଘ ।

ସେପଟେ ଫେବ୍ରୁଆରି ୧ ତାରିଖ ଦିନ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଜାନୁଆରି ୩୧ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଯିବ। ଏହି ଦୁଇ ଦିନରେ ବ୍ୟାଙ୍କ୍ ଧର୍ମଘଟ ଡାକରା ଦିଆଯାଇ ଥିବାରୁ ଏହାର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଫେବ୍ରୁଆରି ୧ ତାରିଖ ଦିନ ମାସର ପ୍ରଥମ ଶନିବାର ପଡୁଛି ପୁଣି ବଜେଟ୍ ଦିନ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ୍ ଖୋଲା ରଖାଯାଇଥାଏ। ସେଦିନ ବଜେଟ୍ ଉପସ୍ଥାପନ ହେଉଥିବାରୁ ଷ୍ଟକ୍ ମାର୍କେଟ୍ ମଧ୍ୟ କାମ କରିବ ବୋଲି ସ୍ଥିର କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଜାନୁଆରି ୮ ତାରିଖ ଦିନ ଭାରତ ବନ୍ଦ ସମୟରେ ବ୍ୟାଙ୍କ ଧର୍ମଘଟ ଚାଲିଥିଲା।