ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର: କାଲିଠୁ ବଦଳିଯିବ ବ୍ୟାଙ୍କ ଖୋଲିବାର ସମୟ; ଜାଣନ୍ତୁ କେତେଟାରୁ କେତେ ଯାଏଁ ଚାଲିବ କାର୍ଯ୍ୟ

ବେସରକାରୀ ବ୍ୟାଙ୍କକୁ ମଧ୍ୟ ଏହାକୁ ଲାଗୁ କରିବାକୁ ଅନୁରୋଧ

29,745

କନକ ବ୍ୟୁରୋ: ଗ୍ରାହକଙ୍କ ସୁବିଧା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। ଏଣିକି ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟ  ଅବଧି ୧୦ଟାରୁ ୪ଟା ଯାଏଁ ରହିବା ନେଇ  ସୂଚନା ଦେଇଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ । କାଲି ଠାରୁ ଏହି ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ନୀତିଗତ ଭାବେ  ଲାଗୁ ହେବ ଏବଂ ରାଜ୍ୟର ସବୁ ସରକାରୀ ବ୍ୟାଙ୍କ ଗଡ଼ିକ ପାଇଁ ଏହି ନିୟମ ରହିଛି ।

ଅନ୍ୟପଟେ, ସରକାରୀ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡିକୁ ବି ସମାନ ସମୟ ଅବଧି ପାଳନ କରିବାକୁ ଅନୁରୋଧ କରାଯାଇଛି । ସେହିଭଳି ଗ୍ରାମାଂଚଳରେ ବ୍ୟାଙ୍କିଂ ସେବାକୁ ତ୍ୱରାନ୍ୱିତ କରାଯିବା ସହ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ମାନ ଖୋଲାଯିବ ନେଇ ଏହି ବୈଠକରେ କୁହାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲାରେ ତଥା କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା ଏବଂ ବଲାଙ୍ଗିରରେ ବ୍ୟାଙ୍କିଂ ସେବାକୁ ଶତ ପ୍ରତିଶତ ଡିଜିଟାଇଜେସନ କରାଯିବା ନେଇ ମଧ୍ୟ ଏହି ବୈଠକରେ କହିଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ । ଉଲ୍ଲେଖ ଥାଉ କି, ପୂର୍ବରୁ ସମସ୍ତ ବ୍ୟାଙ୍କ ସମୟ ଭିନ୍ନ ଭିନ୍ନ ଥିଲା  କିନ୍ତୁ ବ୍ୟାଙ୍କ ଶାଖା ଗ୍ରାହକଙ୍କ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ ଓ ସେବା ପ୍ରଦାନ ନେଇ କିଛି ବିକଳ୍ପ ରଖିଥିଲେ । ଯାହା ଉପରେ ବହୁ ବିଚାର ବିମର୍ଷ କରାଯାଇ ଆଜି ଏସଏଲବିସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।