ଆଜି ବି ବନ୍ଦ ରହିବ ବ୍ୟାଙ୍କ : ଘରୋଇ କରଣକୁ ବିରୋଧ କରି ଦୁଇ ଦିନିଆ ଧର୍ମଘଟ ଚଳାଇଛନ୍ତି କର୍ମଚାରୀ

ଆନ୍ଦୋଳନକୁ ସମର୍ଥନ କରିଛନ୍ତି ୯ କର୍ମଚାରୀ ଓ ଅଧିକାରୀ ସଂଘ, ଗ୍ରାହକ ହନ୍ତସନ୍ତ

70

କନକ ବ୍ୟୁରୋ : ଆଜି ବି ବନ୍ଦ ରହିବ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀ ଦୁଇ ଦିନିଆ ଧର୍ମଘଟ ଘୋଷଣା କରିଥିବାରୁ ଗତକାଲି ବ୍ୟାଙ୍କ ବନ୍ଦ ରହିଥିଲା ଓ ଆଜି ବି ବନ୍ଦ ରହିବ ।

ଅନ୍ୟପଟେ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ, ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେପଟେ ବ୍ୟାଙ୍କ ବନ୍ଦ ଯୋଗୁଁ ଅସୁବିଧା ଭୋଗିଛନ୍ତି ବ୍ୟାଙ୍କ ଗ୍ରାହକ । ତେବେ ଏହି ଧର୍ମଘଟ ଯୋଗୁଁ ଅନଲାଇନ ଓ ଡିଜିଟାଲ ବ୍ୟାଙ୍କିଙ୍ଗରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ବ୍ୟାଙ୍କଗୁଡିକ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିଥିବାରୁ ଏଟିଏମ୍ ରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କମ୍ ରହିଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିବା ପାଇଁ ବ୍ୟାଙ୍କର ଘରୋଇ କରଣ ପାଇଁ ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ । ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରହିବା ପରେ ଏହି ଦୁଇ ଦିନ ଧର୍ମଘଟ ଯୋଗୁଁ ବନ୍ଦ ରହୁଛି ବ୍ୟାଙ୍କ । ଫଳରେ ଦୀର୍ଘ ୪ ଦିନ ପରେ ଆସନ୍ତାକାଲି  ଖୋଲିବ ବ୍ୟାଙ୍କ ।