ଜରି ପାଲ ତଳେ ବ୍ୟାଙ୍କ ସେବା : ସ୍ୱାଭିମାନ ଅଞ୍ଚଳର ସାପ୍ତାହିକ ହାଟରେ ସିଏସପି କେନ୍ଦ୍ରରେ ଟଙ୍କା ଉଠାଇବାକୁ ଗ୍ରାହକଙ୍କ ଭିଡ

102

କନକ ବ୍ୟୁରୋ : ଜରି ପାଲ ତଳେ ବ୍ୟାଙ୍କ ସେବା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସାପ୍ତାହିକ ହାଟରୁ ଆସିଛି ଏହି ଚିତ୍ର । ସ୍ୱାଭିମାନ ଅଞ୍ଚଳରେ ଆଦୌ କୌଣସି ବ୍ୟାଙ୍କ ନାହିଁ । ତେଣୁ ଏପରି ସିଏସପି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ଆଉ ସାପ୍ତାହିକ ହାଟରେ ଏମିତି ଜରି ପାଲ ତଳେ କଷ୍ଟମର ସର୍ଭିସ ପଏଣ୍ଟ ଖୋଲି ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ସିଏସପି କେନ୍ଦ୍ରର ମାଲିକ ।

ତେବେ ଗ୍ରାହକମାନେ ଏଠାରେ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ଏଥିପାଇଁ ପ୍ରତି ହଜାରେ ଟଙ୍କାରେ ୧୦ରୁ ୨୦ ଟଙ୍କା କମିଶନ ନେଉଛି ଗ୍ରାହକ ସେବା କେନ୍ଦ୍ର । ସରକାରଙ୍କ ସମସ୍ତ ଯୋଜନାରେ ଡିବିଟି ସିସଷ୍ଟ ଲାଗୁ ହୋଇଥିବା ବେଳେ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ବାଧ୍ୟତାମୁଲକ ହୋଇଛି । ତେବେ ଏ ହୋଉଛି ଆମ ଡିଜିଟାଲ ଇଣ୍ଡିଆର ବାସ୍ତବ ଚିତ୍ର ।

ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୧୫୧ଟି ଗାଁର ୩୦ ହଜାର ଲୋକଙ୍କ ପାଇଁ ଗୋଟିଏ ବି ବ୍ୟାଙ୍କ ନାହିଁ । ଛୋଟ ମୋଟ ବ୍ୟାଙ୍କ କାମ ଲାଗି ଚିତ୍ରକୋଣ୍ଡାରେ ଥିବା ଦୁଇଟି ମାତ୍ର ରାଷ୍ଟ୍ରାୟାତ ବ୍ୟାଙ୍କ ଉପରେ ନିର୍ଭର କରନ୍ତି ପୁରା ସ୍ୱାଭିମାନ ଅଞ୍ଚଳବାସୀ । ତେବେ ସ୍ୱାଭିମାନ ଅଞ୍ଚଳରେ ଯୋଡାମ୍ବା, ପଣସପୁଟ ଓ ପାପେରମେଟଲାର ଲୋକେ ଏମିତି ସିଏସପି ସେଣ୍ଟର ଉପରେ ଲୋକେ ନିର୍ଭର କରନ୍ତି । ଗୁରୁପ୍ରୀୟା ସେତୁ ନିର୍ମାଣ ହୋଇ ୫ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ବ୍ୟାଙ୍କ ସେବା ପହଞ୍ଚିନପାରିବା ଦୁର୍ଭାଗ୍ୟଜନକ ।