ବ୍ୟାଙ୍କରେ ରହିଛି ପୁଳା ପୁଳା ଟଙ୍କା, କିନ୍ତୁ ଲୋକଙ୍କ ପକେଟ୍ ଖାଲି ।ଏଟିଏମ ଆଗରେ ଲାଗୁଛି ଲମ୍ବା ଲାଇନ, ଘଣ୍ଟା ଘଣ୍ଟା ପରେ ପଡୁଛି ପାଳି ।

147

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜିଠୁ ବ୍ୟାଙ୍କ ଖୋଲିଛି । ହେଲେ କାରବାର ହୋଇପାରିନି । ଇଂଟରନେଟ୍ କାମ କରୁନଥିବାରୁ ଅଚଳ ହୋଇଯାଇଛି ବ୍ୟାଙ୍କ ସେବା । ଲୋକେ ବ୍ୟାଙ୍କ ଆସି ନିରାଶ ହୋଇ ଫେରିଛନ୍ତି । ସେପଟେ ଏଟିଏମରେ ବି ଟଙ୍କା ନାହିଁ । ରାଜଧାନୀର ଯେଉଁ ଗୋଟିଏ କି ଦୁଇଟି ଏଟିଏମ୍ କାମ କରୁଛି, ସେଇଠି ଲାଗିଛି ଲମ୍ବା ଲାଇନ୍ ।

ବାତ୍ୟା ଫୋନି ରାଜଧାନୀକୁ ଛାରଖାର କରିବାର ୩ ଦିନ ପରେ ଖୋଲିଲା ବ୍ୟାଙ୍କ । ହେଲେ ଇଂଟରନେଟ୍ ନଥିବାରୁ କାରବାର ଅଚଳ । ସୋମବାର ବ୍ୟାଙ୍କ ଖୋଲିଲା, କର୍ମଚାରୀ ବି ଆସିଲେ । ଟଙ୍କା ନେବାକୁ ଗ୍ରାହକ ବି ପହଁଚିଯାଇଥିଲେ । ହେଲେ ଟଙ୍କା ମିଳିଲାନି । ଲୋକେ ଖାଲି ହାତରେ ନିରାଶ ହୋଇ ଫେରିଛନ୍ତି । କାରବାର ହେଉନଥିବାରୁ କର୍ମଚାରୀ ବି ହାତବାନ୍ଧି ବସିଛନ୍ତି ।

ବ୍ୟାଙ୍କରେ ଜେନେରେଟର ଲଗାଇ କାମ କଲେ କଣ ହେବ । ଲିଙ୍କ ନାହିଁ । ବ୍ୟାଙ୍କ କର୍ତୃପକ୍ଷ କହୁଛନ୍ତି, ୯ ତାରିଖ ସୁଦ୍ଧା ସବୁ ରିଷ୍ଟୋର ହୋଇଯିବ । ତାପରେ ବ୍ୟାଙ୍କ କାମ ସ୍ୱାଭାବିକ ହେବ । ହେଲେ ତାହା ବି ଅସ୍ପଷ୍ଟ ।

ଫୋନି ପୂର୍ବରୁ ଲୋକେ ଆବଶ୍ୟକ ଟଙ୍କା ଉଠାଇଥିଲେ । ତାହା ଏବେ ସରିଗଲାଣି । ଏବେ ପକେଟ୍ ଖାଲି । ନିହାତି ଟଙ୍କା ଦରକାର । ହେଲେ ଏଟିଏମରେ ତାଲା ଝୁଲୁଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ପ୍ରାୟ ୯୯ ପ୍ରତିଶତ ଏଟିଏମ୍ ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ୱରରେ ଦୁଇ-ତିନିଟି ସ୍ଥାନରେ ଏଟିଏମ ଖୋଲିଛି । ହେଲେ ସେଠାରେ ଲମ୍ବା ଲାଇନ୍ । ଘଂଟା ଘଂଟା ଧରି ଅପେକ୍ଷା କଲେ ଟଙ୍କା ମିଳୁଛି । ବେଳେ ବେଳେ ନମ୍ବର ଆସିବା ବେଳକୁ ଟଙ୍କା ସରିଯାଉଛି ।

ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ପାଣି ଓ ବିଜୂୁଳି ଭଳି ବ୍ୟାଙ୍କସେବା ବି ପ୍ରଭାବିତ ହୋଇଛି । ଅନଲାଇନ୍ ଟଙ୍କା ଦେଣ ନେଣ ଠପ୍ ହୋଇଯାଇଛି । ଫଳରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି । ଏପରିକି ଏଟିଏମ୍ ଓ ବ୍ୟାଙ୍କ ଦୃଶ୍ୟ ମନେ ପକାଇଦେଉଛି ବିମୁଦ୍ରାକରଣ ସମୟର ସେହି ସ୍ଥିତିକୁ ।