ଖବରକାଗଜରେ ଜମି ନିଲାମ ନେଇ ବିଜ୍ଞାପନ ଦେଇଥିଲେ ବ୍ୟାଙ୍କ ମ୍ୟାନେଜର । ଜମି କିଣିବାକୁ ଟଙ୍କା ଦେବା ପରେ ଠକାମୀର ଶିକାର ହେଲେ ନାବିକ କର୍ମଚାରୀ ।

266

କନକ ବ୍ୟୁରୋ : ଜାଗା ନିଲାମ ସମ୍ପର୍କରେ ଖବରକାଗଜରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଏହାକୁ ଭରସା କରି ପ୍ରପର୍ଟି କିଣିବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ନାବିକ କର୍ମଚାରୀ । ନାବିକ ଭାବେ କାମ କରୁଥିବା ମନୋରଂଜନ ସିଂଙ୍କ ଘର କଟକ ଜିଲ୍ଲା ଟାଙ୍ଗି ଥାନା ଅଂଚଳରେ । ଚୌଦ୍ୱାର ବଜାର ନିକଟସ୍ଥ ରାଜପଥ ପାଖରେ ଏକ ଜମିର ନିଲାମ ସମ୍ପର୍କରେ ଜାଗମରାର ଭୁବନେଶ୍ୱରର ଏକ ବ୍ୟାଙ୍କ ମ୍ୟାନେଜରଙ୍କ ପକ୍ଷରୁ ଖବରକାଗଜରେ ଏକ ବିଜ୍ଞାପନ ଆସିଥିଲା । ଏହାକୁ ଦେଖିବା ପରେ ବ୍ୟାଙ୍କ ମ୍ୟାନେଜର ପାର୍ଥ ସାରଥୀ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ।

ବ୍ୟାଙ୍କ ମ୍ୟାନେଜର ବାବୁ ମନୋରଂଜନଙ୍କୁ ଗାଡିରେ ଆଣି ଜାଗା ଓ ନିର୍ମାଣ ହୋଇଥିବା କୋଠା ଦେଖାଇଥିଲେ । ଜମିନେବାକୁ ହେଲେ ଅଗ୍ରୀମ ୨୫ ପ୍ରତିଶତ ଅର୍ଥ ଅର୍ଥାତ୍ ୭ ଲକ୍ଷ ୩୮ ହଜାର ୭୫୦ ଟଙ୍କା ପୈଠ କରିବାକୁ କହିବା ପରେ ଅର୍ଥ ଯୋଗାଡ କରି ପୈଠ କରିଦେଇଥିଲେ ମନୋରଂଜନ । କିନ୍ତୁ ଟଙ୍କା ପାଇବା ପରେ ଜମିର ଚିହ୍ନଟ ପାଇଁ ଆଉ ଆସିନଥିଲେ ଓଜିବି ବ୍ୟାଙ୍କ ମ୍ୟାନେଜର ବାବୁ । ସନ୍ଦେହ ହେବାରୁ ନିଜେ ଅମିନ ଡକାଇ ମାପ ଚୁପ କରିବା ପରେ , ବ୍ୟାଙ୍କ ମ୍ୟାନେଜର ଦେଖାଇଥିବା ଜମି ଅନାବାଦି ଓ ନିଲାମ ପାଇଁ ବିଜ୍ଞାପନ ଆସିଥିବା ଜାଗା ଅଲଗା ସ୍ଥାନରେ ଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣା ପରେ ମନୋରଂଜନ ଦେଇଥିବା ଟଙ୍କା ଫେରାଇବାକୁ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ । ତେବେ ନିର୍ଦ୍ଧାରିତ ସମୟରେ ବଳକା ଅର୍ଥ ଦେଇନଥିବାରୁ ତାହା ବାଜ୍ୟାପ୍ତି ହୋଇଯାଇଥିବା ଓଜିବି ବ୍ୟାଙ୍କ ମ୍ୟାନେଜର କହିଥିଲେ । ଏହା ଶୁଣିବା ପରେ ମନୋରଂଜନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଜମି ନପାଇ, ଲକ୍ଷାଧିକ ଟଙ୍କା ହରାଇ ଶେଷରେ ପୋଲିସର ଆଶ୍ରୟ ନେଇଛନ୍ତି ମନୋରଂଜନ ସିଂ । ଘଟଣାର ଏବେ କଟକ ଡିସିପି ତଦନ୍ତ କରୁଛନ୍ତି ।