ଗ୍ରାହକ ସାଜି ଆସିଥିଲା ଲୁଟେରା । ବ୍ୟାଙ୍କ କର୍ମଚାରୀଙ୍କୁ ବାନ୍ଧି ଲୁଟ୍ କରି ଫେରାର ହେବା ବେଳେ ଧରିପକାଇଲେ ସିକ୍ୟୁରିଟି ଗାର୍ଡ, ଖେଳନା ବନ୍ଧୁକ ଓ ଛୁରିରେ କରାଇଥିଲା ଭୟଭୀତ ।

395

କନକ ବ୍ୟୁରୋ : ଗ୍ରାହକ ସାଜି ନକଲି ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ ଉଦ୍ୟମ । ମାତ୍ର ୧୦ ମିନିଟରେ ବ୍ୟାଙ୍କ ଖାଲି କରିଦେଲା ଲୁଟେରା । ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ହାତ ବାନ୍ଧି ଆଣ୍ଠେଇ ଦେଇଥିଲା ଆଉ ଏହି ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏହାରି ଭିତରେ ହିରୋ ସାଜି ଲୁଟେରା ସହ ଧସ୍ତାଧସ୍ତି କରିଥିଲେ ସିକ୍ୟୁରିଟି ଗାର୍ଡ । ଶେଷରେ ଧରାପଡିଲା ଲୁଟେରା । ଭୁବନେଶ୍ୱର ଉପକଣ୍ଠ ଅଟଳା ସ୍ଥିତ ଏସବିଆଇ ଶାଖାରେ ଘଟିଥିବା ଏହି ଘଟଣାର ଲାଇଭ ଚିତ୍ରକୁ କଏଦ କରିଛି ସିସିଟିଭି ।

ସମୟ ଅପରାହ୍ନ ୪ଟା । ଚାଲିଥାଏ ବ୍ୟାଙ୍କ କ୍ଲୋଜିଂ । ବ୍ୟାଙ୍କ କର୍ମଚାରୀ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି । ଆଉ ଗ୍ରାହକ ରୂପରେ ଆସିଥିବା ଲୁଟେରା ଉମାଶଙ୍କର ଥାଏ ବ୍ୟାଙ୍କ ଭିତରେ । କେତେବେଳେ ଟଙ୍କା ଉଠାଇବା ପାଇଁ ତ ପୁଣି କେତେବେଳେ ଋଣ ବିଷୟରେ ପଚାରି ବ୍ୟାଙ୍କ ଭିତରେ ସମୟ କାଟୁଥାଏ ।

ସମୟ ଅପରାହ୍ନ ୪ଟା ୪୮ ମିନିଟ୍ । ଉମାଶଙ୍କରକୁ ବାହାର କରିବାକୁ ଉଦ୍ୟମ । ଉମାଶଙ୍କରକୁ ବାହାରିବା ପାଇଁ ବ୍ୟାଙ୍କ କର୍ମଚାରୀ ଉଦ୍ୟମ କଲାବେଳେ ବେଶ ଚାଲାକିର ସହ କର୍ମଚାରୀକୁ କବଜା କରିନେଇଥିଲା ଏହି ଲୁଟେରା । ବେକରେ ଛୁରୀ ଲଗାଇ ହାତରେ ବନ୍ଧୁକ ଧରି ଆରମ୍ଭ କରିଥିଲା ଅପରେସନ ବ୍ୟାଙ୍କ ଲୁଟ୍ । ବ୍ୟାଙ୍କ ଭିତରେ ଥିବା ଅନ୍ୟ କର୍ମଚାରୀଙ୍କୁ ଟାର୍ଗେଟ୍ କରିଥିଲା ଲୁଟେରା । ସବୁ କର୍ମଚାରୀଙ୍କୁ ଏକାଠି କରି ଆଣ୍ଠେଇଦେବା ସହ ପଛପଟୁ ହାତକୁ ବାନ୍ଧି ଦେଇଥିଲା ।

କେହି କିଛି ବୁଝିବା ପୁର୍ବରୁ ଟଙ୍କା ଲୁଟିବା ଆରମ୍ଭ କରିଥିଲା ଉମାଶଙ୍କର । କ୍ୟାସିଅରଙ୍କ ଡ୍ରରୁ ୮ ଲକ୍ଷ ୬୩ ହଜାର ଲୁଟିବା ସହ ଷ୍ଟ୍ରଙ୍ଗ ରୁମରୁ ୮୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଗଲା । ହେଲେ ଏହି ସମୟରେ ଭୁଲ କରି ବସିଥିଲା ଉମାଶଙ୍କର । ସିସିଟିଭି ଭାଙ୍ଗିବାକୁ ଉଦ୍ୟମ ସିନା କରିଥିଲା, ହେଲେ ସବୁ କିଛି କଏଦ ହୋଇ ରହିଯାଇଥିଲା ।

ଲୁଟପାଟ କରି ଯେତେବେଳେ ଉମାଶଙ୍କର ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲା, ସେତେବେଳେ ଚିତ୍କାର କରିଥିଲେ କର୍ମଚାରୀ । ଆଉ ନିକଟରେ ଥିବା ପଂଚମୁଖି ଗ୍ରୀନ୍ସ ଆପାର୍ଟମେଣ୍ଟର ସିକ୍ୟୁରିଟି ଏସବୁ ଜାଣିବା ପରେ ଲୁଟେରାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଆଉ ସେ ଖସିବାକୁ ଚେଷ୍ଟା କରିବାରୁ ତାକୁ ପିଛା କରିଥିଲା ସିକ୍ୟୁରିଟି ଗାର୍ଡ ।

ବଡ କଥା ହେଉଛି, ଅଭିଯୁକ୍ତ ପାଖରେ ଧାରୁଆ ଛୁରୀ ଓ ନକଲି ବନ୍ଧୁକକୁ ଖାତିର ନକରି ହିରୋ ସାଜି ଲୁଟେରାକୁ ଅଟକାଇବାକୁ ଚେଷ୍ଟା କଲେ ସିକ୍ୟୁରିଟି ଗାର୍ଡ । ଧସ୍ତାଧସ୍ତି ବି ଚାଲିଲା । ନିଜ ଜୀବନକୁ ଭୟ ନକରି ସାହାସିକତାର ପରିଚୟ ଦେଲେ । ଆଉ ଶେଷରେ ସ୍ଥାନୀୟ ଲୋକ ତାକୁ ପିଛା କରି ଚାଷ ଜମି ଭିତରୁ ଲୁଟେରାକୁ କାବୁ କରାଯାଇଥିଲା । ଉମାଶଙ୍କରକୁ ଗିରଫ କରିବା ପରେ ପୋଲିସ ଏହି ଲୁଟର ତଦନ୍ତ ଚଳାଇଛି । ହେଲେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ କିନ୍ତୁ ପ୍ରଶ୍ନ ସୃଷ୍ଟି କରିଛି ।