ରାଜଧାନୀ ଉପକଣ୍ଠ ଅଟଳା ଏସବିଆଇରୁ କେମିତି ହୋଇଥିଲା ଲୁଟ ? ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ

ସୁରକ୍ଷା କର୍ମୀଙ୍କ ଉପସ୍ଥିତ ବୃଦ୍ଧି ଓ ସ୍ଥାନୀୟ ଯୁବକଙ୍କ ସାହାସିକତାରୁ ଧରାପଡ଼ିଗଲା ଲୁଟେରା

191

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ଅଟଳ । ଏସବିଆଇରୁ କେମିତି ହୋଇଥିଲା ଲୁଟ ? ସାମ୍ନାକୁ ଆସିଲା ବ୍ୟାଙ୍କ ଭିତରର ସିସିଟିଭି ଭିଜୁଆଲ । ଲୁଟେରା ଜଣକ ଗ୍ରାହକ ଭାବେ ବ୍ୟାଙ୍କ୍ ଭିତରକୁ ପ୍ରବେଶ କରିବା ପରେ ସେଠାରେ କିଛି ସମୟ ଧରି ବସିରହିଥିଲା । ଅନ୍ୟ ଗ୍ରାହକ ମାନେ ବ୍ୟାଙ୍କରୁ ଚାଲିଯିବା ପରେ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି ହାତ ବାନ୍ଧି ଦେବା ପରେ ଆଣ୍ଠେଇ ଦେଇଥିଲା ଡକାୟତ । ସେସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ତେବେ ବ୍ୟାଙ୍କ ଲୁଟ ଉଦ୍ୟମ ଫେଲ ମାରିଛି । ଲୁଟେରାକୁ କାବୁ କରିବା ସହ ନିସ୍ତୁକ ମାଡ ମାରି ପୋଲିସ ଜିମା ଦେଇଛନ୍ତି ଆପାର୍ଟମେଂଟର ସୁରକ୍ଷା କର୍ମୀ ଓ ସ୍ଥାନୀୟ ଲୋକ । ୮ ଲକ୍ଷ ୬୩ ହଜାରର ନଗଦ ଟଙ୍କା, ସୁନା ଅଳଙ୍କାର ଉଦ୍ଧାର କରିବା ସହ ଖେଳନା ବନ୍ଧୁକ ଓ ଛୁରୀ ଜବତ କରିଛି ପୋଲିସ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଚଂଳରେ ଥିବା ପଂଚମୁଖୀ ଗ୍ରୀନ୍ସ ଆପାର୍ଟମେଂଟ ପରିସରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଲୁଟ ହୋଇଥିଲା ।

ସ୍ଥାନୀୟ ଅଂଚଳର ଲୁଟେରା ଉମାଶଙ୍କର ପରିଡ଼ା ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ ଭିତରେ ପଶି ପ୍ରଥମେ ବ୍ୟାଙ୍କର ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପରେ କର୍ମଚାରୀମାନଙ୍କୁ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଭିତରୁ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । କର୍ମଚାରୀମାନେ ଚୋର ଚୋର ବୋଲି ଚିଲ୍ଲାଇବାରୁ ଆର୍ପାଟମେଂଟର ସୁରକ୍ଷା କର୍ମୀ ଓ ସ୍ଥାନୀୟ ଯୁବକମାନେ ଲୁଟେରାକୁ ପିଛା କରି କାବୁ କରିଥିଲେ ।