ବ୍ୟାଙ୍କ କର୍ମଚାରୀଙ୍କ ଗଛ ଲଗାଇବା ନିଶା। ୯ ବର୍ଷରେଲଗାଇସାରିଲେଣି ୯୫ହଜାର ଗଛ।

134

କନକ ବ୍ୟୁରୋ: ବଦଳୁଛି ପାଣିପାଗ, ବୃଦ୍ଧି ହେବାରେ ଲାଗିଛି ତାପମାତ୍ରା । ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଯୋଗୁ ବଢିବାରେ ଲାଗିଛି ବିଶ୍ୱର ତାପମାତ୍ରା । ଶୀତ ନସରଣୁ ରାଜ୍ୟରେ ଏବେ ଠାରୁ ଉତ୍ତାପ ଅନୁଭବ ହେଲାଣି । ଏଭଳି ହେବାର ମୁଖ୍ୟ କାରଣ ହେଉଛି ଗଛ ସଂଖ୍ୟା ହ୍ରାସ । ଦିନକୁ ଦିନ ଗଛ ସଂଖ୍ୟା କମିଚାଲିଥିବା ବେଳେ ସତର୍କ ହେଉନାହିଁ ମଣିଷ ସମାଜ ।

ତେବେ ଏଭଳି କିଛି ପରିବେଶର ବନ୍ଧୁ ଅଛନ୍ତି ଯେଉଁମାନେ ଗଛ ପାଇଁ ଲଗାତର ଉଦ୍ୟମ ଜାରିରଖିଛନ୍ତି । ପେଶାରେ ସେ ଜଣେ ବ୍ୟାଙ୍କ କର୍ମଚାରୀ, କିନ୍ତୁ ନିିଶା ତାଙ୍କର ଗଛ ଲଗାଇବା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗୁମୁଣ୍ଡିଆ ପାଇକ ସାହିର ହିମାଂଶୁ ଶେଖର । ଗଛ ଲଗାଇବାକୁ ପ୍ରତି ବର୍ଷ ୩ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ପରିବେଶ ସୁରକ୍ଷା ରଖିବା ସହ ସବୁଜ ସୁନ୍ଦର କରିବାକୁ ଯେମିତି ସେ ସଙ୍କଳ୍ପବଦ୍ଧ ହୋଇଛନ୍ତି । ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଗଛ ଲଗାଇବାକୁ ଭଲ ପାଇଥାନ୍ତି । କର୍ମକ୍ଷେତ୍ରରୁ ବାହାରି ନିଜ ଗାଁରେ ପହଞ୍ଚି ସ୍କୁଲ, କଲେଜ ଗୁଡିକରେ ବୁଲି ବୁଲି ଗଛ ଲଗାଇବା ସହ ଲୋକଙ୍କୁ କରୁଛନ୍ତି ସଚେତନ ।

ସକାଳୁ ସକାଳୁ ଉଠି ଗାଡି ନେଇ ବାହରିପଡନ୍ତି ହିମାଂଶୁ । ବିଭିନ୍ନ ଗାଁକୁ ଗାଁ ଯାଇ ଘର ଘର ବୁଲି ବାଣ୍ଟନ୍ତି କଦମ୍ବ, ବାଦାମରୁ ନେଇ ନିମ୍ବ, ହରିଡା, ବାହଡା ଓ ଅଁଳା ଗଛ ସବୁ । ୯ ବର୍ଷ ହେବ ୯୫ହଜାର ଗଛ ଲଗାଇସାରିଲେଣି ହିମାଂଶୁ । ଗ୍ରୀନ ପାରିକୁଦ ଓ କ୍ଲାଇମେଟ ଚେଞ୍ଜ ସଲ୍ୟୁସନ ନାଁରେ ଦୁଇଟି ପରିବେଶ ସୁରକ୍ଷା ସଙ୍ଗଠନ କରିଛନ୍ତି । ଯେଉଁଥିରେ ବହୁ ଛାତ୍ରଛାତ୍ରୀଙ୍କଠାରୁ ନେଇ ସରକାରୀ କର୍ମଚାରୀ ମଧ୍ୟ ରହିଛନ୍ତି । ସମସ୍ତେ ତାଙ୍କ ସହ ଗଛ ଲଗାଇବାରେ ସାମିଲ ହୋଇଛନ୍ତି । ସେହିଭଳି ପାରିକୁଦ ସଙ୍ଗଠନ ନେଇ ଚିଲିକା ଘେରିବନ୍ଧର ଦୁଇ ପାଶ୍ୱର୍ରେ ଅନେକ ଗଛ ଲଗାଇଛନ୍ତି ହିମାଂଶୁ ।

ପରିବେଶର ସୁରକ୍ଷା ପାଇଁ ହିମାଂଶୁଙ୍କ ଉଦ୍ୟମକୁ ବିଭିନ୍ନ ସ୍ଥାନରୁ ପ୍ରଂଶସା ମିଳିଛି । ତେବେ ଆସନ୍ତୁ ଆପଣ ମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୁଅନ୍ତୁ । ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀର ସଙ୍କଳ୍ପ ନେବା ।