ଭରସା ଦେଇ ଠକିଦେଲା ବ୍ୟାଙ୍କ । ମ୍ୟାଚୁରିଟି ପରେ ବି ଫିକ୍ସ ଡିପୋଜିଟ ଟଙ୍କା ଫେରାଉ ନାହିଁ ବ୍ୟାଙ୍କ, ୭ ମାସ ହେବ ବ୍ୟାଙ୍କ ଆଗରେ ବସିଛନ୍ତି ଜମାକାରୀ ସିଦ୍ଧାର୍ଥ ପଟେଲ ।

482

କନକ ବ୍ୟୁରୋ : ବ୍ୟାଙ୍କରେ ଫିକ୍ସ ଡିପୋଜିଟର ମ୍ୟାଚୁରିଟି ପରେ ବି ମିଳିଲା ନାହିଁ ଟଙ୍କା । ପ୍ରତିଦିନ ଟଙ୍କା ଫେରି ପାଇବା ଆଶା ନେଇ ବ୍ୟାଙ୍କକୁ ଆସି ନିରାଶ ହେଉଛନ୍ତି ଜମାକାରୀ । ଟଙ୍କା ରଖିନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହୁଥିବା ବେଳେ ବ୍ୟାଙ୍କ ସାମ୍ନାରେ ଘଂଟାଘଂଟା ଧରି ବସି ରହୁଛନ୍ତି ଟଙ୍କା ଜମା ରଖିଥିବା ବ୍ୟକ୍ତି । ହେଲେ ଦୀର୍ଘ ୭ ମାସ ହେବ ନିରାଶାରେ ଦିନ ଗଣୁଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଭୋଜପୁରର ସାଉଁଟିମାଲର ବ୍ୟକ୍ତି ସିଦ୍ଧାର୍ଥ ପଟେଲ ।

ଭରସା ଦେଇ ଠକିଦେଲା ବ୍ୟାଙ୍କ, ମ୍ୟାଚୁରିଟି ପରେ ବି ମିଳୁନି ଟଙ୍କା । ଦୀର୍ଘ ୭ ମାସ ହେବ ବ୍ୟାଙ୍କରେ ରଖିଥିବା ଫିକ୍ସ ଡିପୋଜିଟର ମ୍ୟାଚୁରିଟି ଟଙ୍କା ପାଇବା ପାଇଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କୁଚିଣ୍ଡା ବ୍ଲକ ଭୋଜପୁର ଶାଖା ସମ୍ମୁଖ ବାରଣ୍ଡାରେ ବସି ରହୁଛନ୍ତି ସିଦ୍ଧାର୍ଥ ପଟେଲ ନାମକ ଜଣେ ବ୍ୟକ୍ତି ।

୨୦୧୭ ମସିହାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଭୋଜପୁର ଶାଖାରେ ସିଦ୍ଧାର୍ଥ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ୫୦ ହଜାର ଟଙ୍କା ଲେଖାଏଁ ୨ଟି ଫିକ୍ସ ଡିପୋଜିଟ କରିଥିଲେ । ବଦଳରେ ବ୍ୟାଙ୍କ ତାଙ୍କୁ ଦୁଇଟି ବଣ୍ଡ ବି ଦେଇଛି । ୨୦୨୦ ଏପ୍ରିଲ ମାସରେ ଫିକ୍ସ ମ୍ୟାଚୁରିଟି ହେବା ପରେ ବ୍ୟାଙ୍କକୁ ବଣ୍ଡ ଦେଇ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ସିଦ୍ଧାର୍ଥ । ହେଲେ ସିଦ୍ଧାର୍ଥ ବ୍ୟାଙ୍କରେ ଟଙ୍କା ରଖିନଥିବା କହି ୭ ମାସ ହେବ ଟଙ୍କା ଦେଉନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

ଟଙ୍କା ଫେରସ୍ତ ନେଇ ବିଭିନ୍ନ ଯାଗାରେ ଅଭିଯୋଗ କରି ନିରାଶ ହେବା ପରେ କନକ ନ୍ୟୁଜକୁ ଠକେଇ କଥା କହିଛନ୍ତି ସିଦ୍ଧାର୍ଥ । ଆମ ପ୍ରତିନିଧ ତାଙ୍କ ଠାରୁ ସବୁ ଶୁଣିବା ପରେ ବ୍ରାଞ୍ଚ ମ୍ୟାନେଜରଙ୍କୁ ଭେଟିଥିଲେ । ଆଉ ଆଗରୁ ସିଦ୍ଧାର୍ଥଙ୍କୁ ନିରାଶ କରୁଥିବା ମ୍ୟାନେଜର କିନ୍ତୁ ଆମ ପ୍ରତିନିଧି ତପନଙ୍କୁ ଦେଖି ହଡବଡେଇ ଯାଇଥିଲେ । ଏବଂ ଉପରିସ୍ଥ ଆଂଚଳିକ ମ୍ୟାନେଜରଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସିଦ୍ଧାର୍ଥଙ୍କୁ ମ୍ୟାଚୁରିଟି ଟଙ୍କା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ୟାଙ୍କରେ ଟଙ୍କା ରଖିଲେ ସୁରକ୍ଷିତ ବୋଲି ମନେ କରନ୍ତି ଜମାକାରୀ । ହେଲେ ଯଦି ବ୍ୟାଙ୍କରେ ଟଙ୍କା ରଖି ଠକେଇର ଶିକାର ହୁଅନ୍ତି ଜମାକାରୀ ତେବେ କାହାକୁ ଭରସା କରିବେ ଲୋକେ । ତେବେ ଘଟଣା ଯାହା ବି ହେଉ ଠକାମୀର ଶିକାର ହୋଇଥିବା ସିଦ୍ଧାର୍ଥ ତାଙ୍କ ଫିକ୍ସ୍ ଡିପୋଜିଟ୍ ଟଙ୍କା ଫେରି ପାଇଲେ ବ୍ୟାଙ୍କ ଉପରେ ଲୋକଙ୍କ ବିଶ୍ୱାସ ଅତୁଟ ରହିବ ।