କାଲି କଡା ଟକ୍କର ! ବର୍ମିଂହାମରେ ବାଂଲାଦେଶ ବିପକ୍ଷରେ ଲଢିବ ବିରାଟ ବାହିନୀ, ସେମିଫାଇନାଲରୁ ଗୋଟିଏ ପାଦ ପଛରେ ଭାରତ ।

356

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ କ୍ରିକେଟରେ ବିଜୟଧାରା ବଜାୟ ରଖିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ସେମିଫାଇନାଲ ଠାରୁ ଗୋଟିଏ ପାଦ ପଛରେ ରହିଥିବା ଭାରତ ପାଇଁ ଆଗାମୀ ମ୍ୟାଚ୍ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ । ଆସନ୍ତାକାଲି ବିଶ୍ୱକପରେ ଖେଳାଯିବ ରୋମାଞ୍ଚକର ମ୍ୟାଚ୍ । ବର୍ମିଂହାମର ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । ଏହି ମ୍ୟାଚ୍ ଜିତିଲେ ସିଧାସଳଖ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବ ବିରାଟ ବାହିନୀ ।

ତେବେ ସବୁଠାରୁ ବଡ କଥା ହେଉଛି, ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶର ତାରକା ଅଲରାଉଣ୍ଡର ଖେଳାଳୀ ସକିବ୍ ଅଲ ହାସନ୍ ଭାରତକୁ ଖୋଲା ଚେତାବନୀ ଦେଇଥିଲେ । ବିରାଟ ବାହିନୀକୁ ବିଶ୍ୱକପରେ ପରାସ୍ତ କରିବ ବୋଲି ଦମ୍ଭ ଦେଖାଇଥିଲେ ସାକିବ । ସାକିବ କହିଥିଲେ, ଭାରତ ଚଳିତ ବିଶ୍ୱକପରେ ଶ୍ରେଷ୍ଠ ଦଳ ମଧ୍ୟରୁ ଅନ୍ୟତମ । ଏପରିକି ବିଶ୍ୱକପ ଟାଇଟଲ ରେସରେ ମଧ୍ୟ ଭାରତ ଆଗରେ ରହିଛି । ଜବରଦସ୍ତ ଫର୍ମରେ ଥିବା ଟିମ୍ ଇଣ୍ଡିଆକୁ ହରାଇବା ମଧ୍ୟ ସହଜ ନୁହେଁ । କିନ୍ତୁ ଭାରତ ବିପକ୍ଷରେ ଆମେ ଆମର ଭଲ ପ୍ରଦର୍ଶନ କରିବୁ । ଭାରତକୁ ହରାଇବା ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେବ । ଭାରତ ପାଖରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି ଯେଉଁମାନେ ଏକାକୀ ମ୍ୟାଚ୍ ଜିତାଇବାକୁ ସକ୍ଷମ । କିନ୍ତୁ ଏହା ସତ୍ୱେ ମଧ୍ୟ ଆମେ ଟିମ୍ ଇଣ୍ଡିଆକୁ ହରାଇପାରିବୁ । ଭାରତ ବିପକ୍ଷରେ ସ୍ୱତନ୍ତ୍ର ରଣନୀତି କରି ବାଂଲାଦେଶ ଟିମ୍ ପଡିଆକୁ ଓହ୍ଲାଇବ ବୋଲି କହିଥିଲେ ସାକିବ ।

ଅନ୍ୟପଟେ ଯଦି ବିଶ୍ୱକପ ଇତିହାସ ଉପରେ ନଜର ପକାଇବା, ତେବେ ଆଇସିସି କ୍ରିକେଟ୍ ବିଶ୍ୱକପରେ ମୋଟ୍ ୩ ଥର ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ବାଂଲାଦେଶ । ଯେଉଁଥିରେ ଭାରତ ୨ଟି ମ୍ୟାଚରେ ବାଜି ମାରିଥିବା ବେଳେ ବାଂଲାଦେଶ ମଧ୍ୟ ଗୋଟିଏ ମ୍ୟାଚରେ ଭାରତକୁ ପରାସ୍ତ କରିଛି । ତେବେ ଚଳିତ ବିଶ୍ୱକପର ଅଭ୍ୟାସ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ଯେଉଁଥିରେ ବାଂଲାଦେଶକୁ ମାତ୍ ଦେଇଥିଲା ବିରାଟ ବାହିନୀ ।

ଏବେ ନଜର ପକାଇବା ପଏଂଟ ଟେବୁଲ ଉପରେ । ୮ଟି ମ୍ୟାଚରୁ ୧୪ ପଏଂଟ ପାଇ ପ୍ରଥମ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ୭ଟି ମ୍ୟାଚରୁ ୧୧ ପଏଂଟ ପାଇ ଭାରତ ରହିଛି ଦ୍ୱିତୀୟ ସ୍ଥାନରେ । ୮ଟି ମ୍ୟାଚରୁ ୧୧ ପଏଂଟ ପାଇ ତୃତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଏବଂ ୮ଟି ମ୍ୟାଚରୁ ୧୦ ପଏଂଟ ପାଇ ଚତୁର୍ଥ ସ୍ଥାନରେ ରହିଛି ଇଂଲଣ୍ଡ । ତେବେ ୮ଟି ମ୍ୟାଚରୁ ୯ ପଏଂଟ ପାଇ ପଂଚମ ସ୍ଥାନରେ ରହିଛି ପାକିସ୍ତାନ । ଏବେ ପ୍ରଶ୍ନ ଉଠୁଛି ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରୁ ସେମିଫାଇନାଲ ଖେଳିବ କିଏ । ଯଦି ପାକିସ୍ତାନ ଆଫଗାନିସ୍ତାନକୁ ହରାଏ ଏବଂ ଇଂଲଣ୍ଡ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଏ ତେବେ ପାକିସ୍ତାନ ସେମିଫାଇନାଲ ଖେଳିବାର ସମ୍ଭାବନା ଅଛି । ଆଉ ଇଂଲଣ୍ଡ ଟିମ୍ ସେମିଫାଇନାଲ ଖେଳିବାରୁ ବଂଚିତ ହେବ । ଇଂଲଣ୍ଡ ଭାରତକୁ ହରାଇବା ପରେ ସେମିଫାଇନାଲ ଖେଳିବାର ଆଶା ଉଜ୍ଜିବୀତ ହୋଇଛି ସତ । ଆଗକୁ ଖେଳାଯିବାକୁ ଥିବା ମ୍ୟାଚ ଜିତିବାକୁ ପଡିବ ଇଂଲଣ୍ଡକୁ ।