ବାଂଲାଦେଶରେ ବ୍ୟାପିଲା ହିଂସା । ମୋଦିଙ୍କ ଗସ୍ତ ପରେ ମନ୍ଦିର ଓ ଟ୍ରେନ୍ ଉପରେ ଆକ୍ରମଣ…

2,374

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଶେଷ ହେବା ପରେ ରବିବାର ଦିନ ପୂର୍ବ ବାଂଲାଦେଶରେ କେତେକ ମନ୍ଦିର ଓ ଗୋଟିଏ ଟ୍ରେନ୍‌ ଉପରେ ଆକ୍ରମଣ କରାଯାଇଥିବା କଥା ପୁଲିସ ଓ ସ୍ଥାନୀୟ ସାମ୍ବାଦିକମାନେ କହିଛନ୍ତି। ପୁଲିସ ସହ ସଂଘର୍ଷ ଘଟି କଠୋରପନ୍ଥୀ ସଙ୍ଗଠନଗୁଡ଼ିକର ଅନ୍ୟୂନ ୧୦ଜଣ ପ୍ରତିବାଦକାରୀଙ୍କର ମୃତ୍ୟୁ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ କ୍ରୋଧ ଓ ହିଂସା ବୃଦ୍ଧିପାଇଛି ବୋଲି ଶୁଣାଯାଉଛି।

ରବିବାର ଦିନ ହେଫାଜତ୍‌-ଏ-ଇସ୍‌ଲାମ୍‌ ଗ୍ରୁପ୍‌ର କର୍ମୀମାନେ ବ୍ରାହ୍ମଣବରିଆର ପୂର୍ବ ଜିଲ୍ଲାରେ ଗୋଟିଏ ଟ୍ରେନ୍‌ ଉପରେ ଆକ୍ରମଣ କରିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ସେମାନେ ଟ୍ରେନ୍‌ ଆକ୍ରମଣ କରି ତାହାର ଇଞ୍ଜିନ୍‌ ପ୍ରକୋଷ୍ଠ ଏବଂ ଅଧିକାଂଶ ବଗି ନଷ୍ଟ କରିଦେଇଛନ୍ତି। ଏହାଛଡ଼ା, ସହରରେ ଥିବା କେତେକ ହିନ୍ଦୁ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ପଶ୍ଚିମ ଜିଲ୍ଲା ରାଜସାହିରେ ମଧ୍ୟ ପ୍ରତିବାଦକାରୀମାନେ ଦୁଇଟି ବସ୍‌ ପୋଡ଼ି ପକାଇଛନ୍ତି ବୋଲି କୁହାଯାଉଛି। ସେହିପରି, ନାରାୟଣଗଞ୍ଜରେ ବହୁସଂଖ୍ୟକ ପ୍ରତିବାଦକାରୀ ପୁଲିସ ସହ ସଂଘର୍ଷ କରି ସେମାନଙ୍କ ଉପରକୁ ଟେକାପଥର ଫିଙ୍ଗିଛନ୍ତି।

ଜାଳେଣି କାଠଗଡ଼ ଓ ବାଲିବସ୍ତା ରଖି ପ୍ରତିବାଦକାରୀମାନେ ବିଭିନ୍ନ ରାସ୍ତା ଅବରୋଧ କରିବାରୁ ବାଧ୍ୟ ହୋଇ ପୁଲିସ ରବର ଗୁଳି, ଲୁହବୁହା ବାଷ୍ପ ପ୍ରୟୋଗ କରିବାରୁ ଢାକା ଉପକଣ୍ଠରେ ଥିବା ନାରାୟଣଗଞ୍ଜରେ ଡଜନାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ବାଂଲାଦେଶ ସ୍ୱତନ୍ତ୍ର ଦେଶ ଘୋଷିତ ହେବାର ୫୦ତମ ବାର୍ଷିକ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ଢାକାରେ ପହଞ୍ଚିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ୧.୨ ନିୟୁତ କୋଭିଡ୍‌-୧୯ ଟିକା ଉପହାର ଦେବାପରେ ଶନିବାର ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।