କନକ ବ୍ୟୁରୋ: ବାଂଲାଦେଶରେ ହିଂସା ଭିତରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଭାରତରେ ଶରଣ ନେଇଛନ୍ତି । ବର୍ତ୍ତମାନ ସେ ଗାଜିଆବାଦ୍ ସ୍ଥିତ ହିଣ୍ଡନ ଏୟାରବେସରେ ଶରଣ ନେଇଥିବାବେଳେ, ସେଠାରେ ଥିବା ଏକ ସେଫ୍ ହାଉସରେ ତାଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । କୁହାଯାଉଛି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହସିନାଙ୍କ ଆଗାମୀ ନିଷ୍ପତ୍ତି ସ୍ପଷ୍ଟ ହେଇଯିବ । ଆଉ ସେ କେଉଁ ସ୍ଥାନରେ ଶରଣ ନେବେ ତାହା ମଧ୍ୟ ସ୍ପଷ୍ଟ ହେଇଯିବ । ହେଲେ ଏହାରି ଭିତରେ ଶେଖ୍ ହସିନାଙ୍କୁ ନେଇ ଆସିଛି ଏକ ବଡ ଅପଡେଟ୍ ।

ମିଳିଥିବା ସୂଚନା ମୁତାବକ, ବାଂଲାଦେଶର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିଟେନ୍ ଯିବାକୁ ଯାଉଛନ୍ତି । ଯେଉଁଠିକି ପୂର୍ବରୁ ତାଙ୍କ ଭଉଣୀର ଝିଅ ସାଂସଦ ଅଛନ୍ତି। ଯାହାଫଳରେ କି ସେଠାରେ ତାଙ୍କୁ ଶରଣ ମିଳିବା ସହଜ ହେବ । ହେଲେ ଏଭଳି ସମୟରେ ବ୍ରିଟେନ୍ ତାଙ୍କୁ ଶରଣରେ ନେବାକୁ ଅମଙ୍ଗ ଥିବା ସୂଚନା ମିଳିଛି । ସୂଚନା ମୁତାବକ, ବ୍ରିଟେନର କହିବା କଥା- ଶେଖ ହସିନାଙ୍କ ପାଖରେ ଏବେ କୌଣସି ବି ଭିସା ନାହିଁ, ତେଣୁ ବ୍ରିଟେନରେ ତାଙ୍କୁ ଶରଣ ମିଳିବ ନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ଯେହେତୁ ଦେଶରୁ ପଳାୟନ କରିବା ପରେ ଶେଖ୍ ହସିନା ପ୍ରଥମେ ଭାରତକୁ ଆସିଛନ୍ତି । ତେଣୁ ସେ ନୂଆଦିଲ୍ଲୀରେ ହିଁ ରୁହନ୍ତୁ ବୋଲି ବ୍ରିଟେନ୍ ଚାହୁଁଛି ।

ଅନ୍ୟପଟେ ଶେଖ୍ ହସିନା ଯଦି ଦିଲ୍ଲୀରେ ଶରଣ ନିଅନ୍ତି, ତେବେ ବର୍ତ୍ତମାନର ସରକାର ତାଙ୍କୁ ଶରଣ ଦେବ ବୋଲି ଚର୍ଚ୍ଚା ହେଉଛି । ଯେହେତୁ ତାଙ୍କର ଭାରତ ସରକାରଙ୍କ ସହିତ ଦୀର୍ଘ ଦିନ ଧରି ଭଲ ସମ୍ପର୍କ ରହିଆସିଛି, ତେଣୁ ଏହାକୁ ଦେଖି ତାଙ୍କୁ ଭାରତରେ ଶରଣ ମିଳିପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । କୁହାଯାଉଛି ଯଦି ଶେଖ୍ ହସିନା ଚାହାଁନ୍ତି, ତେବେ ତାଙ୍କୁ ଦିଲ୍ଲୀର କୌଣସି ସେଫ୍ ହାଉସରେ ସୁରକ୍ଷିତ ରଖାଯିବ ।