କନକ ବ୍ୟୁରୋ : ବାଂଲାଦେଶରେ ହିଂସା, ଓଡ଼ିଶାରେ ଆଲର୍ଟ । ବାଂଲାଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ପରେ ବାଂଲାଦେଶର ଅନୁପ୍ରବେଶକାରୀମାନେ ଓଡ଼ିଶା ମଧ୍ୟରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଅନ୍ୟ ରାସ୍ତା ଅପେକ୍ଷା ସମୁଦ୍ରପଥ ଦେଇ ଓଡ଼ିଶାକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିବା ଯୋଗୁଁ ରାଜ୍ୟର ସମସ୍ତ ମେରାଇନ ଥାନାକୁ ଆଲର୍ଟ କରାଯାଇଛି । ହେଲେ ଉପକୂଳକୁ ସୁରକ୍ଷା ଦେବା ପାଇଁ ସାମୁଦ୍ରିକ ଥାନାରେ ନାହିଁ ଆବଶ୍ୟକୀୟ ସାରଞ୍ଜାମ ।

Advertisment

୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ଦେଶର ସାମୁଦ୍ରିକ ଜଳପଥକୁ କଡ଼ା ନଜର ରଖିବା ସହ ଉପକୂଳ ଅଞ୍ଚଳର ସୁରକ୍ଷାକୁ ଗୁରୁତ୍ୱ ଦେଇ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଗଲା।

ବାଂଲାଦେଶରେ ଅସ୍ଥିରତା ପରେ ଭାରତର ଜଳପଥ ଉପରେ ରହିଛି କଡ଼ା ନଜର । ଅନୁପ୍ରବେଶ ରୋକିବା ପାଇଁ ତତ୍ପର ହୋଇ ଉଠିଛନ୍ତି ତଟ ସୁରକ୍ଷା ବାହିନୀ । ଟ୍ରଲର ଓ ବୋଟ ଦେଇ ଆସିବାର ଆଶଙ୍କା ରହିଛି । ତେଣୁ ବାଲେଶ୍ୱର ଉପକୂଳରେ ସମସ୍ତ ମାଛଧରା ଟ୍ରଲର ଓ ଡଙ୍ଗା ଯାଂଚ କରୁଛନ୍ତି ସାମୁଦ୍ରିକ ଥାନାର ପୋଲିସ । ବାହାବଳପୁର ଥାନା ପକ୍ଷରୁ ମଧ୍ୟ କଡ଼ା ଯାଂଚ କରାଯାଉଛି ।

ସମୁଦ୍ରପଥ ଦେଇ ଅନୁପ୍ରବେଶ ରୋକିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତାଳସାରୀ ଠାରେ ୩ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି । ଥାନା ଥାଇ ବି ମୁକୁଳା ପଡ଼ିଛି ଉପକୂଳ । ସମୁଦ୍ର ବାଟ ଦେଇ ବଙ୍ଗିୟ ଭାଷାଭାଷୀଙ୍କ ଅନୁପ୍ରବେଶ ବଢୁଛି । ବାଂଲାଦେଶରୁ ଅନୁପ୍ରବେଶକାରୀ ଆସିବାର ଆଶଙ୍କା କରି ସମୁଦ୍ରରେ ପଇଁତରା ମାରୁଛନ୍ତି ତଟ ସୁରକ୍ଷା ବାହିନୀ । ହେଲେ ଆବଶ୍ୟକ ଭିତ୍ତିଭୂମି ନାହିଁ । ପାଟ୍ରୋଲିଂ ପାଇଁ ବୋଟ୍ ନାହିଁ କି ସୁରକ୍ଷା କର୍ମୀ ନାହାନ୍ତି । ଜଣେ ଆଇଆଇସି, ୨ଜଣ ଏଏଆଇ, ୮ ଜଣ କନେଷ୍ଟବଳ ଓ ୧୨ ଜଣ ହୋମଗାର୍ଡଙ୍କୁ ନେଇ ଚାଲିଛି ସାମୁଦ୍ରିକ ଥାନା ।

ଦିନକୁ ଦିନ ଖୋଲାମେଲା ସମୁଦ୍ରତଟ ଏବଂ ଜଳେଶ୍ୱର ଅଞ୍ଚଳରେ ବଙ୍ଗଭାଷୀ ଅନୁପ୍ରବେଶକାରୀଙ୍କ ଜନବସତି ଗଢ଼ିଉଠୁଛି । ଅନ୍ଧାରରେ ସମୁଦ୍ର ପଥ ଦେଇ ଡଙ୍ଗା ଓ ଟ୍ରଲରରେ ଆସୁଛନ୍ତି । ଯାହା ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

(ରିପୋର୍ଟ- ବସ୍ତାରୁ ରଂଜନ ବେହେରା ଓ ଜଳେଶ୍ୱରରୁ ସୁଶାନ୍ତ ମଣ୍ଡଳ)