କନକ ବ୍ୟୁରୋ: ବାଂଲାଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଓବାଇଦୁଲ ହାସନ ଶନିବାର ଇସ୍ତଫା ଦେବେ। ସୁପ୍ରିମକୋର୍ଟ ଘେରାଉ କରିବା ସହ ଏକ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ବିକ୍ଷୋଭକାରୀ ଅଲଟିମେଟମ ଦେବା ପରେ ସେ ନିଜ ପଦରୁ ଇସ୍ତଫା ବାବଦରେ ଘୋଷଣା କରିଛନ୍ତି। ଇସ୍ତଫା ନଦେଲେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ ପ୍ରଧାନ ବିଚାରପତିଙ୍କ ବାସଭବନରେ ପଶିବେ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବେ ବୋଲି କହିଛନ୍ତି। ନିକଟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଅନ୍ତରୀଣ ସରକାର ଗଠନ ହୋଇଛି । ମହମ୍ମଦ ୟୁନୁସ ଏହି ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି । ଏହାପରେ କିନ୍ତୁ ବିକ୍ଷୋଭକାରୀ ବିଚାରପତିଙ୍କୁ ବି ଘେରାଉ କରିଛନ୍ତି ।