କନକ ବ୍ୟୁରୋ : ଅଗଷ୍ଟ ୫ ତାରିଖରେ ୪୫ ଦିନ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣିଥରେ ଭାରତରେ ପହଂଚିଛନ୍ତି । ଏହା ପୂର୍ବରୁ ଜୁନ ୨୧ ତାରିଖରେ ଯେତେବେଳେ ସେ ଭାରତ ଆସିଥିଲେ, ଏଠିକାର ମୋଦୀ ସରକାର ତାଙ୍କୁ ରେଡ୍ କାର୍ପେଟ ବିଛାଇ ସ୍ୱାଗତ କରିଥିଲେ । ହେଲେ ଚଳିତ ଥର ସ୍ଥିତି କିନ୍ତୁ କିଛି ଅଲଗା ରହିଛି । ହସିନା ଭାରତ ଆସିଲେ ନିଶ୍ଚିନ୍ତ ହେଲେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ । ସେପଟେ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦେଶର ନାଗରିକ ଦଖଲ କରିଛନ୍ତି ।

ଶେଖ ହସିନାଙ୍କ ଦେଶ ଛାଡିବା ପଛରେ ୩ ଜଣ ଛାତ୍ରନେତା ମୁଖ୍ୟ ଭୂମିକା ନେଇଥିଲେ । ସେମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଆନ୍ଦୋଳନ ଆରମ୍ଭ କଲେ ଓ ୧୫ ବର୍ଷ ଧରି କ୍ଷମତାରେ ଥିବା ଶେଖ ହସିନାଙ୍କ ସରକାରକୁ ଭାଙ୍ଗିଦେଲେ । ତେବେ ଆସନ୍ତୁ ଏହି ୩ ଛାତ୍ରନେତାଙ୍କ ବାବଦରେ ଜାଣିବା ଯେଉଁମାନଙ୍କ ଦୀର୍ଘଦିନର ସଂଘର୍ଷ ପରେ ଶେଖ ହସିନାଙ୍କ ସରକାର ଭାଙ୍ଗିଗଲା ।

ନାହିଦ ଇସଲାମ୍- ବାଂଲାଦେଶ ଛାତ୍ର ଆନ୍ଦୋଳନର ସବୁଠାରୁ ବଡ଼ ଚେହେରା ହେଉଛନ୍ତି ନାହିଦ ଇସଲାମ । ରବିବାର ଦିନ ଏକ ବୟାନରେ ସେ କହିଥିଲେ କି, ଆଜି ଆମେ ଲାଠି ଉଠାଇଛୁ, ଯଦି ଏଥିରେ ସଫଳ ନ ହେଉ ତେବେ ଅସ୍ତ୍ର ଧରିବାକୁ ବାଧ୍ୟ ହେବୁ । ଦେଶକୁ ଶେଖ ହସିନା ଗୃହଯୁଦ୍ଧ ଭିତରକୁ ଠେଲି ଦେବାକୁ ଚେଷ୍ଟା କରୁଛନ୍ତି । ତେଣୁ ତାଙ୍କୁ ନିଷ୍ପତ୍ତି ନେବାକୁ ହେବ ସେ ପଦରୁ ହଟିବେ ନା ପଦରେ ରହି ଦେଶରେ ରକ୍ତପାତ ଦେଖିବେ । ନାହିଦ ଢାକା ବିଶ୍ୱବିଦ୍ୟାଳୟର ଛାତ୍ର । ସେ ପୋଲିସ ଉପରେ ଅଭିଯୋଗ ଆଣିଥିଲେ କି ଜୁଲାଇ ୨୦ ତାରିଖରେ ତାଙ୍କୁ ପୋଲିସ ଉଠାଇ ନେଇଥିଲା । ନାହିଦ ନିଖୋଜ ହେବାର ୨୪ ଘଂଟା ପରେ ଏକ ପୋଲ ତଳୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚେତା ଫେରିବା ପରେ ତାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଥିଲା । ନାହିଦ କହିଥିଲେ କି ତାଙ୍କୁ ଅଚେତ କରିବା ପାଇଁ ପୋଲିସ ଲୁହା ରଡରେ ପିଟିଥିଲା । ଏଥିରେ ସଫଳ ନେହେବାରୁ ତାଙ୍କୁ ଅଚେତ ଇଂଜେକସନ ଦେଇ ପୋଲ ତଳେ ପକାଇ ଦିଆଯାଇଥିଲା । ନାହିଦଙ୍କ ଏଭଳି ବୟାନ ପରେ ଦେଶର ପୁରା ଛାତ୍ର ସଂଗଠନ ନାହିଦଙ୍କ ସମର୍ଥନରେ ବାହାରିଥିଲେ ।

ଆସିଫ୍ ମହମୁଦ- ଆସିଫ୍ ମହମୁଦ ମଧ୍ୟତ ଢାକା ବିଶ୍ୱବିଦ୍ୟାଳୟର ଛାତ୍ର । ଜୁନ ମାସରୁ ଦେଶରେ ଆରମ୍ଭ ହୋଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସେ ମଧ୍ୟ ଜଣେ ଛାତ୍ରନେତା । ଜୁଲାଇ ୨୬ ତାରିଖରେ ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଥିଲା । ସେଠାରେ ତାଙ୍କୁ ମାଡ ମାରି ଏକ ଭିଡିଓ କରାଇଥିଲା । ଯେଉଁଥିରେ ସେ ଆଉ ଆନ୍ଦୋଳନରେ ଭାଗ ନେବେ ନାହିଁ ବୋଲି କହିଥିଲେ । ନାହିଦଙ୍କ ଭଳି ଆସିଫଙ୍କୁ ମଧ୍ୟ ପୋଲିସ ଅଚେତ ଇଂଜେକସନ ଦେଇଥିଲା । ଫଳରେ ସେ ଅନେକ ଦିନ ଧରି ବେହୋଶ ଅବସ୍ଥାରେ ରହିଥିଲେ । ଅଗଷ୍ଟ ପହିଲାରେ ଛାତ୍ରମାନେ ଜୋରଦାର ଆନ୍ଦୋଳନ କରିବା ଫଳରେ ତାଙ୍କୁ ପୋଲିସ ଛାଡି ଦେଇଥିଲା । ଶେଖ ହସିନା ଦେଶ ଛାଡିବା ପରେ ଆସିଫ ତାଙ୍କ ବୟାନରେ କହିଛନ୍ତି କି, ଦେଶରେ ସେନା ଶାସନକୁ ଗ୍ରହଣ କରାଯିବ ନାହିଁ ।

ଅବୁ ବକ୍କର ମଜୁମଦାର– ଶେଖ ହସିନାଙ୍କୁ ଦେଶରୁ ବିଦା କରିବା ପଛରେ ଅବୁ ବକ୍କର ମଜୁମଦାରଙ୍କର ବଡ ଭୂମିକା ରହିଛି । ସେ ଢାକା ବିଶ୍ୱବିଦ୍ୟାଳୟର ଜିଓଗ୍ରାଫି ବିଭାଗର ଛାତ୍ର । ଏହାସହ ସେ ମାନାବାଧିକାର ଓ ସାମାଜିକ ଅଧିକାରକୁ ନେଇ କାମ କରୁଛନ୍ତି । ଜୁନ ୫ ତାରିଖରେ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ପରେ ଅବୁ ବକ୍କର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଏକାଠି କରି ଷ୍ଟୁଡେଣ୍ଟ ଏଗନେଷ୍ଟ ଡିସକ୍ରିମିଶନ ମୁଭମେଣ୍ଟ ଆରମ୍ଭ କରିଥିଲେ । ତାଙ୍କୁ ମଧ୍ୟ ଜୁଲାଇ ୧୯ ତାରିଖରେ ଅପହରଣ କରାଯାଇଥିଲା । କିଛିଦିନ ତାଙ୍କର କିଛି ଖବର ମିଳିନଥିଲା । ହେଲେ ଅପହରଣକାରୀମାନେ ତାଙ୍କୁ ଯେଉଁଠାରୁ ନେଇଥିଲେ, ସେହିଠାରେ ଛାଡିଦେଇଗଲେ ।

ଏହି ୩ ଜଣ ଛାତ୍ରନେତା ତାଙ୍କର ସଂଘର୍ଷ ଓ ଛାତ୍ର ଆନ୍ଦୋଳନକୁ ତୀବ୍ର କରିବା ଫଳରେ ଦେଶରେ ନାଗରିକମାନେ ଜାଗୃତ ହୋଇଥିଲେ ଓ ଇଚ୍ଛାକୃତ ଭାବେ ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଯାହା ଫଳରେ ୧୫ ବର୍ଷ ଧରି କ୍ଷମତାରେ ଥିବା ଶେଖ ହସିନା ବାଧ୍ୟ ହୋଇ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାଇଛନ୍ତି ।