ଭିସା ଓ ପାସପୋର୍ଟ ନଥିବାରୁ ଓଡ଼ିଶା ଜେଲରେ ଦିନ କାଟୁଛନ୍ତି ବାଂଲାଦେଶୀ ଶ୍ରମିକ । ଘରେ ଲୁହ ଗଡାଉଛନ୍ତି ମାଆ, ସ୍ତ୍ରୀ ଓ ପିଲା । 

182

କନକ ବ୍ୟୁରୋ : ଭିସା ନଥିବାରୁ ୨ ବର୍ଷର ଜେଲଦଣ୍ଡ ପରେ ବି ଜେଲରୁ ମୁକୁଳି ପାରୁନାହାନ୍ତି ବାଙ୍ଗଲାଦେଶୀ ଶ୍ରମିକ । ଆଜି ବି ଜେଲ ବାରଣ୍ଡାରେ ନଜରବନ୍ଦୀ ହୋଇ ରହିଛନ୍ତି । ଘର ବାଙ୍ଗଲାଦେଶର ମୀରପୁର ଜିଲ୍ଲା ଦାରୁସାଲମ୍ ଥାନା ଅଞ୍ଚଳରେ । ଚାକିରି କରିବା ଉଦ୍ଦେଶ୍ୟରେ ବାଙ୍ଗଲାଦେଶରୁ ଭାରତ ଆସି ଯାଜପୁରର ପାଣିକୋଇଲି ପୋଲିସ ହାବୁଡରେ ପଡିଥିଲେ । ପାଖରେ ଭିସା ନଥିବାରୁ ଜେଲ ଗଲେ । ଜେଲଦଣ୍ଡ ଭୋଗିବା ପରେ ବି ଭିସା-ପାସପୋର୍ଟ ନଥିବାରୁ ଫେରିପାରୁନାହାନ୍ତି ନିଜ ଦେଶ ।

ବାଂଲାଦେଶୀ ଶ୍ରମିକ ସକିଲ୍ । ନିଜ ଦେଶରେ ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ବୁଢିମାଆ, ସ୍ତ୍ରୀ ଓ ପିଲା । କିନ୍ତୁ ପାଖରେ ଭିସା-ପାସପୋର୍ଟ ନଥିବାରୁ ବିଚାର ବିଭାଗୀୟ ହାଜତରେ ୨ ବର୍ଷର ଜେଲଦଣ୍ଡ ଭୋଗିବା ପରେ ବି ଘରକୁ ଫେରି ପାରୁନାହାନ୍ତି ବିଦେଶୀ ଶ୍ରମିକ ସକିଲ । ଏବେ ଜେଲ ବାରଣ୍ଡାରେ ନଜରବନ୍ଦୀ ଅଛନ୍ତି ।

ରୋଜଗାର ଖୋଜି ଖୋଜି ବାଂଲାଦେଶରୁ ଭାରତ ଚାଲିଆସିଥିଲେ ସକିଲ୍ । ବାଂଲାଦେଶରୁ ମୁମ୍ବାଇ, ମୁମ୍ବାଇରୁ କଲିକତା ହୋଇ ଓଡିଶାରେ ପହଞ୍ଚିଥିଲେ । ଓଡିଶାର ଯାଜପୁରରେ ପାଣିକୋଇଲି ପୁଲିସ ତାଙ୍କୁ ଅଟକ ରଖିଥିଲା । ପାଖରେ ଭିସା-ପାସପୋର୍ଟ ନଥିବାରୁ ସକିଲଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହାରି ଭିତରେ ୨ ବର୍ଷ ଜେଲ ଦଣ୍ଡ ଭୋଗି ସାରିଛନ୍ତି ସକିଲ୍ । କିନ୍ତୁ ତାଙ୍କୁ ଘରକୁ ପଠାଇବା ନେଇ କୌଣସି ବ୍ୟବସ୍ଥା କରାନଯାଇ ଜେଲରେ ନଜରବନ୍ଦୀ ଭାବେ ରଖାଯାଇଛି ।

ବର୍ଷ ବର୍ଷ ଧରି ପରିବାର ଠାରୁ ଦୂରରେ ଥିବା ଶ୍ରମିକ ଭିଡିଓ କଲ ଜରିଆରେ ମା’ ଓ ପିଲାଙ୍କ ସଂପର୍କରେ ଅଛନ୍ତି । ନିଜର ମୁକ୍ତି ପାଇଁ ଲଢେଇ କରି ଥକିଗଲେଣି । ହେଲେ ତାଙ୍କ ଉପରେ ଜିଲ୍ଲା ପ୍ରଶାସନ କି ସରକାରଙ୍କ ନଜର ପଡୁନାହିଁ । ତେଣୁ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ସକିଲଙ୍କୁ ବାଂଲାଦେଶ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ତାଙ୍କ ଓକିଲ କହିଛନ୍ତି । କେବେ ସକିଲଙ୍କ ଫେରିବା ବାଟ ସୁଗମ ହେବ । କେବେ ଭିସା, ପାସପୋର୍ଟ ଯୋଗାଡ ହେବ ଆଉ ସେ ଘରକୁ ଫେରିଯିବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।