କନକ ବ୍ୟୁରୋ: ବାଂଲାଦେଶରେ ଶାସନର ପଟ୍ଟ ପରିବର୍ତ୍ତନ ପରେ, ସେଠାରେ ଅନ୍ତରୀଣ ସରକାର ଗଠନ ହେଇସାରିଛି । ହେଲେ ଏବେ ବି ଭାରତର ଏହି ପଡୋଶୀ ଦେଶରେ ହିନ୍ଦୁମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଭାରତ ଏବେ ବି ଏହାକୁ ନେଇ ଚିନ୍ତିତ ଥିବାବେଳେ, କେନ୍ଦ୍ର ସରକାର ମଧ୍ୟ ଏହି ମୁଦ୍ଦାକୁ ଲଗାତାର ଉଠାଇ ଚାଲିଛନ୍ତି । ଆଉ ଏହାରି ଭିତରେ ବାଂଲାଦେଶରେ ଅନ୍ତରୀଣ ସରକାରରେ ମୁଖ୍ୟ ପରାମର୍ଶଦାତା ଥିବା ମହମ୍ମଦ ୟୁନୁସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି କଥା ହେବା ସହ, ହିନ୍ଦୁମାନଙ୍କର ସୁରକ୍ଷା ପାଇଁ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଏକ୍ସରେ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନରେ କଥା ହେଲି । ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ବର୍ତ୍ତମାନର ପରିସ୍ଥିତି ଉପରେ ବିଚାରର ଆଦାନପ୍ରଦାନ କଲି । ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଓ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତ ସମର୍ଥନ ଦେବ । ସେ ବାଂଲାଦେଶରେ ହିନ୍ଦୁ ଓ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଇଛନ୍ତି ବୋଲି ମୋଦୀ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଏ ସମ୍ପର୍କରେ ବୟାନ ଜାରି କରାଯାଇଛି, ଦୁଇ ନେତାଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହିତ ବିକାଶ ପ୍ରସଙ୍ଗରେ ଚର୍ଚ୍ଚା ହେଇଥିବା କୁହାଯାଇଛି ।

Advertisment