ଅର୍ଥନୀତିକୁ ବାଦ୍ ନେଇ ରାଜନୈତିକ ରାସ୍ତା ବାଛିଲା ପାକିସ୍ତାନ । କଶ୍ମୀର ପ୍ରସଙ୍ଗ ଯୋଗୁଁ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚାହୁଁନଥିବା କହିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ଭାରତର ଜବାବ, ଆତଙ୍କବାଦୀ ଓ ହିଂସା ନକମିବା ଯାଏଁ ସମ୍ଭବ ନୁହେଁ ଆଲୋଚନା

239

କନକ ବ୍ୟୁରୋ: ଭାରତ ସହ ବାଣିଜ୍ୟ କରିବା ନେଇ ନିଷ୍ପତ୍ତି ନେବାର ମାତ୍ର ୨୪ଘଂଟା ଭିତରେ ନିଷ୍ପତ୍ତି ବଦଳାଇଥିବା ପାକିସ୍ତାନ ଏବେ କଶ୍ମୀର ପ୍ରସଙ୍ଗ ଉଠାଇଛି । କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିିଥିବା ବେଳେ ମଧ୍ୟ ଏବେ କଶ୍ମୀର କଥା କହୁଛି ପାକିସ୍ତାନ । ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସହ କୌଣସି ବାଣିଜ୍ୟ ସମ୍ବନ୍ଧୀୟ ଅଗ୍ରଗତି କରିହେବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଭାରତରୁ ତୁଳା ଓ ଚିନି ଆମଦାନୀ ସଂକ୍ରାନ୍ତରେ ତାଙ୍କ କ୍ୟାବିନେଟର ପ୍ରମୁଖ ସଦସ୍ୟମାନଙ୍କ ସହ ପରାମର୍ଶ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ନିଷ୍ପତି ନେଇଥିବା ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି ।

କଶ୍ମୀର ପ୍ରସଙ୍ଗରେ ଭାରତ ସହ ଅଶାନ୍ତି କାରଣରୁ କୌଣସି ବାଣିଜ୍ୟିକ ସମ୍ପର୍କ ଚାହୁଁନଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏପଟେ ଭାରତ ପକ୍ଷରୁ ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ, ଆତଙ୍କବାଦ, ଶତ୍ରୁତା ଓ ହିଂସା ମୁକ୍ତ ପରିସ୍ଥିତିରେ ହିଁ କେବଳ ପାକିସ୍ତାନ ସହ ଆଲୋଚନା ସମ୍ଭବ । ଯେପର୍ଯ୍ୟନ୍ତ ଆତଙ୍କବାଦ ଓ ହିଂସା ଥମିନାହିଁ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ ।

ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଡନ୍’ ଲେଖିଛି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କ୍ୟାବିନେଟ ସହ ପରାମର୍ଶ ପରେ ପଦକ୍ଷେପ ଗ୍ରହଣ କରିବା ଲାଗି ସମ୍ପୃକ୍ତ ବିଭାଗ ଗୁଡିକୁ ବାଣିଜ୍ୟ ମନ୍ତ୍ରାଳୟ ଏବଂ ତାଙ୍କ ଅର୍ଥନୈତିକ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରୁ ତୁଳା ଓ ଚିନି ଆମଦାନୀ କରାଯିବା ନିଷ୍ପତ୍ତି ସଂକ୍ରାନ୍ତରେ କ୍ୟାବିନେଟ ବୈଠକର ଏଜେଣ୍ଡା ନଥିଲେ ମଧ୍ୟ କ୍ୟାବିନେଟ ସଦସ୍ୟମାନେ ଓ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସମୀକ୍ଷା କରିବା ଲାଗି ‘ଇକୋନମିକ ଅର୍ଡିନାନ୍ସ କମିଟି’କୁ ନିର୍ଦ୍ଦେଶ ଦେଇଛନ୍ତି । ଇସିସି ଏହାର ସମୀକ୍ଷା କରି ଆବଶ୍ୟକ ସଂଶୋଧନ ଏବଂ ଚୂଡାନ୍ତ ଅନୁମୋଦନ ନିମନ୍ତେ ରିପୋର୍ଟ ପ୍ରଦାନ କରିବ ।

୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଭାରତ ସରକାରଙ୍କ ଏହି ପଦକ୍ଷେପ ପରଠାରୁ ବିଚଳିତ ହୋଇ ଉଠିଥିଲା ପାକିସ୍ତାନ । ଏହା ପରଠାରୁ ଭାରତ ସହିତ ସମସ୍ତ ବାଣିଜ୍ୟ ସଂପର୍କ ବନ୍ଦ କରିଦେଇଛି ପାକିସ୍ତାନ । ପାକିସ୍ତାନର ଘରୋଇ ଆବଶ୍ୟକତା ଓ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଭାରତ ସହିତ ବାଣିଜ୍ୟ ସଂପର୍କରେ ଥିବା କଟକଣାକୁ ସାମାନ୍ୟ କୋହଳ କରି ଦୁଇଟି ସାମଗ୍ରୀ, ଧଳା ଚିନି ଓ କପା ଆମଦାନୀ କରିବାକୁ , ପାକିସ୍ତାନର ଇକୋନୋମିକ୍ କୋର୍ଡିନେସନ୍ କମିଟି, ଇମ୍ରାନ୍ ଖାନ୍ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲା । ଭାରତ ସହିତ ଠପ୍ ହୋଇଥିବା ବାଣିଜ୍ୟ କଟକଣାକୁ ହଠାତ୍ ଏପରି କୋହଳ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଇମ୍ରାନ୍ ଖାନ୍ ସରକାର । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ମିଟିଂରେ ଏହି ପ୍ରସ୍ତାବକୁ ପୁରା ଖାରଜ କରାଯାଇଛି ।