ମରଣଯନ୍ତା ପାଲଟିଛି ମୟୂରଭଞ୍ଜର ଘାଟି ରାସ୍ତା । ବାଙ୍ଗିରିପୋଷିର ବାବନ ଘାଟିର ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବଢୁଛି ଦୁର୍ଘଟଣା, ହାତ ବାନ୍ଧି ବସିଛି ପ୍ରଶାସନ ।

150

କନକ ବ୍ୟୁରୋ : ଗମନା ଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିର୍ମାଣ କରୁଛନ୍ତି ଖୁବ୍ ସୁନ୍ଦର ଏବଂ ଚକାଚକ୍ ଲମ୍ବା ରାସ୍ତା । ଆଉ ଏଥିପାଇଁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି ଟଙ୍କା । ହେଲେ ଓଡିଶାର ଏମିତି ଏକ ଘାଟି ରାସ୍ତା ଅଛି ଯାହା, ଜିଲ୍ଲାବାସୀଙ୍କ ଚିନ୍ତାର କାରଣ ପାଲଟିଛି । ସୂଚନା ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଘାଟି ରାସ୍ତାରେ ୫୦୦ରୁ ଅଧିକ ଦୁର୍ଘଟଣା ଘଟିଛି, ପ୍ରାୟ ଶହେ ଜଣଙ୍କ ପ୍ରାଣ ଯାଇଛି, ଅସଂଖ୍ୟ ଲୋକ ଆହତ ହୋଇଥିବା ବେଳେ ଶତାଧିକ ଲୋକ ପଙ୍ଗୁ ହୋଇ ଘରେ ବସିଛନ୍ତି । ତଥାପି ନିରବ ପ୍ରଶାସନ । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିର୍ବାଚନ ମଣ୍ଡଳିର ଘାଟି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ରାଜନୈତିକ ଦଳ କି ପ୍ରଶାସନିକ କଳର ଇଚ୍ଛାଶକ୍ତିର ଅଭାବରୁ ବର୍ଷ ବର୍ଷ ଧରି ଧନଜୀବନ ହାନି ଘଟୁଥିବା ଅଭିଯୋଗ ହୋଇଛି ।

ଆମେ କହୁଛୁ ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ୍ ଅଧିନରେ ଥିବା ବାଙ୍ଗିରିପୋଷି ଘାଟି ବା ମା’ଦ୍ୱାରଶୁଣି ଘାଟିର କଥା । ୯ କିଲୋମିଟର ଯାଏଁ ପାହାଡ ଅତିକ୍ରମ କରି ଆଗକୁ ବଢିଛି ୪୯ ନମ୍ବର ଜାତୀୟ ରାଜପଥ । ପୂର୍ବରୁ ଏଠାରେ ୫୨ଟି ବାଙ୍କ ଥିବାରୁ ଏହାର ନାମ ବାବନ ଘାଟି । କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ରାଉରକେଲା ସମେତ ବିଳାଶପୁର ଓ ମୁମ୍ବାଇ ଅଭିମୁଖେ ପ୍ରତିଦିନ ହଜାର ହଜାର ଭାରି ଓ ହାଲୁକା ଯାନ ଏହି ଘାଟି ରାସ୍ତା ଦେଇ ବିପଦପୂର୍ଣ୍ଣ ଯାତ୍ରା କରୁଛି ।

ବିପଦ ଆଣୁଛି ବାବନ ଘାଟି । ଭୟ ବଢ଼ାଉଛି ଅଣଓସାରିଆ ଘାଟି ରାସ୍ତା । ଗାଡ଼ି ଗୁଡିକ ଘାଟି ଛୁଇଁଲେ, କେମିତି ଘାଟି ପାର ହୁଅନ୍ତି ତାହା କେବଳ ଘାଟି ଉପରେ ଥିବା ପ୍ରତ୍ୟେକ୍ଷଦର୍ଶୀ ମା ଦ୍ୱାରଶୁଣୀଙ୍କୁ ଜଣା । ଅଣଓସାରିଆ ରାସ୍ତାର ଦୁଇପଟେ ଠିକ୍ ଭାବରେ ବ୍ୟାରିକେଡ୍୍ ନାହିଁ । ତେଣୁ ଅନେକ ସମୟରେ ଗାଡ଼ି ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଶହଶହ ଫୁଟ୍ ତଳକୁ ଖସି ପଡିଛି, ଅକାଳରେ ଧନଜୀବନ ନଷ୍ଟ ହୋଇଛି । ତେଣୁ ବାବନ ଘାଟି ରାସ୍ତାକୁ ଦୁର୍ଘଟଣା ପ୍ରବଣ ରାସ୍ତା ଭାବେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ସତର୍କ ହୋଇ ଗାଡି ଚଳାଇବା ଉଦ୍ଦେଶ୍ୟରେ ଜାଗା ଜାଗାରେ ସୂଚନା ଫଳକ ଲଗାଯାଇଛି । ମାତ୍ର ଦୁର୍ଘଟଣା କମିବା ବଦଳରେ ବଢ଼ୁଛି ।

ତେବେ ଘାଟି ଉପରେ ଘଟିଥିବା ଏକ ଦୁର୍ଘଟଣାରେ ବାପା-ପୁଅଙ୍କ ମୃତ୍ୟୁକୁ ଦେଖିଥିବା ଯୁବ ସମାଜସେବୀ ମହାଦେବ ସାହୁ ଘାଟି ରାସ୍ତା ସଂପ୍ରସାରଣ ପାଇଁ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଚିଠି ଲେଖିଛନ୍ତି । ଏହାସହ ରାସ୍ତା ବାବଦରେ ଆର.ଟି.ଆଇ ତଥ୍ୟ ସଂଗ୍ରହ କରି ଜିଲ୍ଲାବାସୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି ।

ଅନ୍ୟପଟେ ଏହି ବାବନ ଘାଟି ରାସ୍ତା ସିମିଳିପାଳ ‘ଇକୋ ଟୁରିଜିମ୍’ ମଧ୍ୟରେ ରହିଛି । ଏଥିରେ ୩ଟି ହାତୀ ଚଲାପଥ ରହିଛି । ତେଣୁ ରାସ୍ତା ସଂପ୍ରସାରଣ ପାଇଁ ବନବିଭାଗ ଅନୁମତି ଦେଉନଥିବା ଜଣାପଡିଛି । ଘାଟି ରାସ୍ତାର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ସାଂସଦ ବିଶେଶ୍ୱର ଟୁଡୁ । ଅନ୍ୟପଟେ ନେତା ମନ୍ତ୍ରୀ ଏବଂ ପ୍ରଶାସନିକ ବାବୁଙ୍କ ଇଚ୍ଛାଶକ୍ତିର ଅଭାବରୁ ଜିଲ୍ଲାବାସୀ ବର୍ଷ ବର୍ଷ ଧରି ମରଣ ମୁହଁରେ ପଡୁଥିବା କହିଛନ୍ତି ବୁଦ୍ଧିଜୀବୀ ।