ମୋଇନ୍ ଅଲ୍ଲୀ, ଡିଭିଲିୟର୍ସଙ୍କ ଜବରଦସ୍ତ ଅର୍ଦ୍ଧଶତକ ! ଶେଷ ଓଭରରେ ମାଲିଙ୍ଗାଙ୍କୁ ୩ ୱିକେଟ୍, ମୁମ୍ବାଇକୁ ୧୭୨ ରନର ଟାର୍ଗେଟ୍ ଦେଲା ବାଙ୍ଗାଲୋର ।

70

କନକ ବ୍ୟୁରୋ : ଆଜି ଆଇପିଏଲରେ ବିଶ୍ୱକପର ଅଧିନାୟକ ଏବଂ ଉପଅଧିନାୟକଙ୍କ ମଧ୍ୟରେ ଚାଲିଛି ହାଇଭୋଲଟେଜ ଲଢେଇ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏବି ଡିଭିଲିୟର୍ସ ଏବଂ ମୋଇନ ଅଲ୍ଲୀଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଆଗରେ ୧୭୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବାଙ୍ଗାଲୋର । ପ୍ରଥମେ ଟସ ଜିତି ମୁମ୍ବାଇ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

କ୍ରମାଗତ ୬ଟି ପରାଜୟ ପରେ ସପ୍ତମ ମ୍ୟାଚରେ ବିଜୟ ହାସଲ କରିଥିବା ବାଙ୍ଗାଲୋରକୁ ଆଜି ମଧ୍ୟ ଲାଗିଥିଲା ପ୍ରାରମ୍ଭିକ ଝଟକା । ଅଧିନାୟକ ବିରାଟ କୋହଲି ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହା ପରେ ପାର୍ଥିବ ପଟେଲ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ୨୮ ରନରେ ତାଙ୍କୁ ଆଉଟ୍ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପରେ ଏବି ଡିଭିଲିୟର୍ସ ଏବଂ ମୋଇନ୍ ଅଲ୍ଲୀ ଦମଦାର ବ୍ୟାଟିଂ କରିବା ସହ, ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ମୋଇନ ଅଲ୍ଲୀ ୫୦ ରନ କରି ଆଉଟ୍ ହେବା ପରେ ଦଳର ସ୍କୋରକୁ ଏକାକୀ ଆଗକୁ ନେଇଥିଲେ ଏବି ଡିଭିଲିୟର୍ସ । ସେ ୫୧ଟି ବଲ ଖେଳି ୪ଟି ଛକା ଓ ୬ଟି ଚୌକା ସହ ୭୫ ରନ କରି ରନ ଆଉଟ୍ ହୋଇଥିଲେ । ତେବେ ଶେଷ ଓଭରରେ ବାଙ୍ଗାଲୋର ନିଜର ୩ଟି ୱିକେଟ୍ ହରାଇଥିଲା । ମୁମ୍ବାଇ ପକ୍ଷରୁ ଲସିଥ ମାଲିଙ୍ଗା ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୧ରନ୍ ସଂଗ୍ରହ କରିଛି ।