ପିଲା ପଢିବେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ : ନବମ ଓ ଦଶମ ଶ୍ରେଣୀ ମାତୃଭାଷା ପାଠ୍ୟକ୍ରମରେ ହେଲା ସାମିଲ

188

କନକ ବ୍ୟୁରୋ : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ…’କୁ ହାଇସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚଳିତ ଶିକ୍ଷାବର୍ଷରୁ ଏହି ସଂଗୀତକୁ ଉଭୟ ନବମ ଓ ଦଶମ ଶ୍ରେଣୀର ପ୍ରଥମ ଭାଷା ଓଡ଼ିଆ(ଏଫ୍‌ଏଲ୍ଓ) ବହିର ପଦ୍ୟ ବିଭାଗରେ ଏକ ବିଷୟ ଭାବେ ଛାତ୍ରଛାତ୍ରୀମାନେ ପଢ଼ିବେ। ଅନ୍ୟ ବିଷୟ ଭଳି ଏଥିରୁ ପ୍ରଶ୍ନ ମଧ୍ୟ ଆସିବ। ବୋର୍ଡ ପ୍ରଦତ୍ତ ବିଜ୍ଞପ୍ତିରେ ୨୦୨୧-୨୨ଶିକ୍ଷାବର୍ଷର ନୂତନ ପାଠ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଗତବର୍ଷ ହାଇସ୍କୁଲ ପାଠ୍ୟକ୍ରମରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ୍‌ ଦିଆଯାଇଥିଲା । କରୋନାର ପ୍ରକୋପ ଥିବାରୁ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମରୁ ମଧ୍ୟ ସେହି ୩୦ ପ୍ରତିଶତ ପାଠ ବାଦ୍ ଦିଆଯାଇଛି ।

ନବମ, ଦଶମ ଶ୍ରେଣୀ, ଦ୍ବିତୀୟ ଓ ତୃତୀୟ ବର୍ଷ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷାବର୍ଷରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ୍‌ ଦେବା ପରେ ଅବଶିଷ୍ଟ ୭୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ସେମାନେ ପ୍ରସ୍ତୁତି ‌ହେବେ ଓ ସେହି ୭୦ ଭାଗରୁ ପରୀକ୍ଷାରେ ପ୍ରଶ୍ନ ଆସିବ ‌ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଉପରୋକ୍ତ ସମସ୍ତ ଶ୍ରେଣୀରେ ପାଠ୍ୟକ୍ରମ ବୋର୍ଡ ‌ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍‌ଧ । ନୂତନ ପାଠ୍ୟକ୍ରମ ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଛି ।