ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଅଟକି ଗଲା ଓଡ଼ିଶା । ସେବା ଓ ତ୍ୟାଗକୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ । ବନ୍ଦେ ଉତ୍କଳ ଜନନୀରେ ଗୁଞ୍ଜରିତ ହେଲା ସାରା ଓଡ଼ିଶା ।

1,982

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ଓଡିଶା ଗାଇଲା ବନ୍ଦେ ଉକ୍ରଳ ଜନନୀ । ସିପାହୀ ସାହାସକୁ ସଲାମ୍ କରିବା ପାଇଁ ଏକାଠି ହେଲା ସାରା ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି ହୋଇ ଗାଇଛନ୍ତି । ପୂର୍ବ ନିଦ୍ଧାରିତ ସମୟ ମୂତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଠିକ୍ ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ।

କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏହି ସଂଗୀତ ଗାନ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ଭଳି ବିଶ୍ୱ ମହାମାରୀକୁ ରୋକିବା ପାଇଁ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ଦିନରାତି ଏକ କରି ଦେଇଥିବା କରୋନା ଯୋଦ୍ଧାଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ ନବୀନ । ଓଡ଼ିଆ ଭାଇ ଭଉଣୀମାନେ ଦୁନିଆର ଯେଉଁଠାରେ ବି ଥିଲେ ସାଢ଼େ ୫ଟାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି ।

ଏହି ସମୟରେ ସବୁ ଟ୍ରାଫିକ୍ ବନ୍ଦ ରଖିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର-ବଜାର ଯେଉଁଠାରେ ଥିଲେ ସେଠାରେ ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଥିବା ଦେଖିବାକୁ ମିଳିଛି । ଏହି ସଂଗୀତ ଗାନ କରିବା ପାଇଁ ଲୋକସେବା ଭବନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । ସେହିପରି ପୋଲିସ ସେବା ଭବନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି କମିସନରେଟ୍ ପୋଲିସର ସମସ୍ତ ପୋଲିସ୍ କର୍ମଚାରୀ ।