ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତି: ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା; ରାଜ୍ୟ ସଂଗୀତ ଗାନର ୯ଟି ମାନ୍ୟକ୍ରମ ସ୍ଥିର କଲେ ସରକାର

1,303

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନକୁ କ୍ୟାବିନେଟ ମୋହର । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏବଂ ବୈଠକ ପରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୂରଣ ହେଲା ଓଡିଆ ଜାତିର ଦାବି । କାନ୍ତକବି ଲକ୍ଷ୍ମକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ବନ୍ଦେ ଉକ୍ରଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ , ଆଜି ତାହା କ୍ୟାବିନେଟ ବୈଠକରେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି । ମଇ ୩୦ ତାରିଖରେ ସଂଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଓଡିଶାବାସୀ ବନ୍ଦେ ଉକ୍ରଳ ଜନନୀ ସଂଗୀତ ଗାନ କରିଥିଲେ । ଆଉ ଏହା ଥିଲା ଓଡିଆ ଜାତି ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ ।  ତେବେ ଏହି ଐତିହାସିକ ମୁହୂର୍ତ୍ତକୁ ଚିରସ୍ଥାୟୀ କରିବା ପାଇଁ ତଥା ସାଢେ ଚାରି କୋଟି ଓଡିଆବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଂଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ଏହି ରାଜ୍ୟ ସଂଗୀତ ଗାନର ମାନ୍ୟକ୍ରମ ସ୍ଥିର କରିଛନ୍ତି ରାଜ୍ୟ ସରକାର ।

• କାନ୍ତକବିଙ୍କ ରଚିତ ସଂପୂର୍ଣ୍ଣ ଗୀତ ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଂଗୀତ ଭାବରେ ଗ୍ରହଣ କରାଗଲା

• ଏହି ସଂଗୀତ ଗାୟନର ଅନୁମୋଦିତ ସ୍ୱର ରେକଡିଂ ତଥା ଶୈଳୀ ଓଡିଆ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଗଲା ।

• ଏହାର ଗାୟନ ଅବଧି ସ୍ୱର ତଥା ଶୈଳୀ ଉପରୋକ୍ତ ପ୍ରକାରେ ନିର୍ଦ୍ଧାରିତ ହେଲା

• ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଧାନସଭାର ଅଧିବେଶନ ଏବଂ ଅନ୍ୟନ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସଂଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ଗାନ କରାଯିବ ।

• ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭା ସମିତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଂଗୀତ କିମ୍ବା ବାଦ୍ୟଯନ୍ତ୍ର ସଂଗୀତ ସହ ଏହାକୁ ଗାନ କରାଯିବ ।

• ଉଦଯାପନୀ, ଉଦଘାଟନୀ ଓ ଉଦବୋଧନୀ ସଂଗୀତ ଭାବରେ ଏହା ଗାନ କରାଯିବା ସମୟରେ ଏହି ରାଜ୍ୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତ ବ୍ୟକ୍ତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ । ମାତ୍ର ବୟସ୍କ, ଭିନ୍ନକ୍ଷମ, ଅସୁସ୍ଥ, ଶିଶୁ ଏବଂ ଗର୍ଭବତୀ ମହିଳା ବସି ନମ୍ରତାର ସହ ସଂଗୀତକୁ ସମ୍ମାନ ଜଣାଇବେ ।

• ଏହି ସଂଗୀତ ପୁଲିସ୍ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ରରେ ମଧ୍ୟ ପରିବେଷଣ କରାଯିବ ।

• ଏହି ସଂଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌମସି କଟକଣା ରହିବ ନାହିଁ ।

• ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠକ୍ରମ୍ୟରେ ଏହି ସଂଗୀତକୁ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷ ବିଭାଗକୁ ନିର୍ଦ୍ଦେଶ ଦିଆଗଲା