ବନ୍ଦର୍ ମାରା ଗେୟା… ବାଲାକୋଟ୍ ଆକ୍ରମଣ ପରେ ଡୋଭାଲଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ । ଜାଣନ୍ତୁ, କଣ ଥିଲା ଏହାର ଅର୍ଥ ଓ ଏହା ପଛର ପ୍ରକୃତ କାରଣ

167

୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍‌ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ଙ୍କ ପାଖକୁ ଫୋନରେ ବାର୍ତ୍ତା‌ ଆସିଲା- ମାଙ୍କଡ଼ ମରା ହେଲା । ସ୍ୱତନ୍ତ୍ର ‘ଆର୍‌ଏଏକ୍ସ’ ନମ୍ବରରେ ଡୋଭାଲ୍‌ଙ୍କ ପାଖକୁ ଏହି କଲ୍‌ କରିଥିଲେ ତତ୍‌କାଳୀନ ବାୟୁସେନା ମୁଖ୍ୟ ବିଏସ୍‌ ଧାନ୍‌ଓ୍ଵା। ‘ଆର୍‌ଏଏକ୍ସ’ ହେଉଛି ଅତି ସୁରକ୍ଷିତ ଫିକ୍ସଡ୍‌-ଲାଇନ୍‌ ନେଟ୍‌ଓ୍ଵାର୍କ।

ଧାନ୍‌ଓ୍ଵା ହୀନ୍ଦି ଭାଷାରେ କହିଥିଲେ- ‘ବନ୍ଦର୍‌ ମାରା ଗୟା’ । ଏହି ବାର୍ତ୍ତାର ଅର୍ଥ, ସୀମାପାରି ଦୁଃସାହସିକ ପ୍ରାକ୍‌-ପାହାନ୍ତି ଅଭିଯାନରେ ଭାରତୀୟ ଲଢୁଆ ବିମାନଗୁଡ଼ିକ ପାକିସ୍ତାନର ଅରଣ୍ୟାଞ୍ଚଳର ବାଲାକୋଟ୍‌ରେ ଥିବା ‘ଜୈଶ୍‌-ଏ-ମହମ୍ମଦ୍‌’ ଆତଙ୍କବାଦୀ ତାଲିମ ଶିବିର ଧ୍ୱଂସ କରି ଦେଇଛନ୍ତି ।

ଏହାପରେ ଧାଓ୍ଵନ୍‌ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗବେଷଣା ଓ ଅନୁଶୀଳନ ବିଭାଗର ସଚିବ ଅନୀଲ ଧସମାନାଙ୍କ ପାଖକୁ ମଧ୍ୟ ଏହି ଭଳି ଫୋନ୍‌ କଲ୍‌ କରିଥିଲେ । ଏହାପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଡୋଭାଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକଥା ଜଣାଇଥିଲେ।

ବାଲାକୋଟ୍‌ ବିମାନ ଆକ୍ରମଣ ସହ ସମ୍ପୃକ୍ତ ଶୀର୍ଷ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କହିଛନ୍ତି ଯେ, ପାକିସ୍ତାନୀ ଗୁଇନ୍ଦାଙ୍କୁ ବିଭ୍ରାନ୍ତ କରିବା ଲାଗି ଜାଣିଶୁଣି ଅଭିଯାନର ସାଙ୍କେତିକ ନାମ ବା ‘କୋଡ୍‌ ନେମ୍‌’ ‘ବନ୍ଦର୍‌’ ରଖାଯାଇଥିଲା। ଭାରତୀୟ ଅଭିଯାନକାରୀମାନେ ଭାବିଥିଲେ ଯେ, ଏହି ସାଙ୍କେତିକ ନାମ ପାକିସ୍ତାନୀ ଗୁଇନ୍ଦାମାନେ ଭାଓ୍ଵଲ୍‌ପୁରସ୍ଥିତ ‘ଜୈଶ୍‌-ଏ-ମହମ୍ମଦ୍‌’ର ମୁଖ୍ୟାଳୟ ପରିସରରେ ଅସୁସ୍ଥ ଥିବା ଆତଙ୍କବାଦୀ ମୁଖ୍ୟ ମାସୁଦ ଆଝାରଙ୍କ ସହ ସମ୍ପୃକ୍ତ ବୋଲି ଭାବିବେ।

୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲ୍‌ଓ୍ଵାମାରେ ଜୈଶ୍‌-ଏ-ମହମ୍ମଦ୍‌ ପରିକଳ୍ପିତ ଆତ୍ମଘାତୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ବାଲାକୋଟ୍‌ ବିମାନ ଆକ୍ରମଣ କରିଥିଲା। ପୁଲ୍‌ଓ୍ଵାମା ଆତ୍ମଘାତୀ ବୋମା ବିସ୍ଫୋରଣରେ ୪୦ଜଣ ‘ସିଆର୍‌ପିଏଫ୍‌’ ଯବାନ ସହିଦ ହୋଇଥିଲେ।